ଗୁଣପୁର(ସୁନିଲ୍ କୁମାର ସାବତ): ଗୁଣପୁର ଉପଖଣ୍ଡ ସ୍ତରୀୟ ୭୯ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତଥା ଭାରପ୍ରାପ୍ତ ଉପ ଜିଲ୍ଲାପାଳ ଅଜୟ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ସହକାରୀ ଜିଲ୍ଲାପାଳ ବିପିନ ଚନ୍ଦ୍ର ନାୟକ, ଆଇ ଆରବି ଡେପୁଟି କମାଣ୍ଡାଣ୍ଟ ମଞ୍ଚସିନ ଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରାଙ୍କ ଉପସ୍ଥିତିରେ ଅନନ୍ତ ପାତ୍ର ଗତ ବର୍ଷର କାର୍ଯ୍ୟକ୍ରମ ବିବରଣୀ ପାଠ କରି ସଂଯୋଜନା କରିବା ସହ ଚଳିତ ବର୍ଷ ପାଇଁ ବୈଠକରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କ ପ୍ରସ୍ତାବ ଲୋଡିଥିଲେ | ସ୍ୱାଧୀନତା ଦିବସ ପାଳନ ଦିନ ପ୍ରତ୍ୟୁଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ରାମଧୂନ ପରିବେଷଣ କରାଯିବ । ଭୋର ୦୫-୩୦ ସମୟରେ ଗୋଷ୍ଠୀ ଶିକ୍ଷା ତାଲିମ କେନ୍ଦ୍ରରୁ ପ୍ରଭାତଫେରି କରାଯିବ । ସକାଳ ଘ ୭.୩୦ ମି ସମୟରେ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ସେହିପରି ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଥିବା ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସରେ ସକାଳ ଘ. ୯. ୧୫ମି. ସମୟରେ ଅନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ତଥା ଗୁଣପୁର ଉପ ଜିଲ୍ଲାପାଳଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତଳୋନ କରାଯିବ | ପ୍ୟାରେଡ଼ର ସମସ୍ତ ଦାୟିତ୍ୱ ଆଇଆରବିଙ୍କୁ ଅର୍ପଣ କରାଗଲା । ୧୧, ୧୨ ଓ ୧୩ ତିନିଦିନ ସକାଳ ୦୮-୩୦ଘଟିକା ସମୟରେ ପ୍ୟାରେଡ଼ର ପୂର୍ବଭ୍ୟାସ କରିବା ନିମନ୍ତେ ସ୍ଥିର କରାଗଲା । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବକୃତା ଓ କୁଇଜ ଭଳି ବିଭିନ୍ନ ପ୍ରତିଯୋଗିତା ଅଗଷ୍ଟ ୦୬ ଓ ୦୭ ତାରିଖରେ ଆୟୋଜନ କରାଯିବ । ପ୍ୟାରଡ଼ ପଡିଆରେ ବାରିକେଟ ଲଗାଇବା ପାଇଁ ବନ ବିଭାଗକୁ ଦାୟିତ୍ବ, ପଡିଆ ମରାମତି ଡାଇସ ମରାମତି ରଙ୍ଗ ଦିଅ କାର୍ଯ୍ୟ ପୂର୍ତ୍ତ ବିଭାଗ ସହ ଅନ୍ୟ ବିଭାଗକୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା | ଏହି ଦିବସ ପାଳନ ଅବସରରେ ବିଭିନ୍ନ ଅନୁଷ୍ଠାନରେ ଯଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରୋଗୀ, ଉପ କାରାଗାର ଅନ୍ତେବାସୀମାନଙ୍କୁ ଫଳ ଓ ମିଷ୍ଠlହ୍ନ ବଣ୍ଟନ କରାଯିବ l ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ଗୟା ଡମ୍ବରୁଧର ବେହେରା, , ପୌର ନିର୍ବାହୀ ଅଧିକାରୀ ସନ୍ତୋଷ ନାୟକ, ଆଦର୍ଶ ଥାନା ଅଧିକାରୀ କେକେବିକେ କହଁର, ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ, ଅଧ୍ୟକ୍ଷା, ହାଇସ୍କୁଲ ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ,ପୂର୍ତ୍ତ ବିଭାଗ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ କରାଯାଇଥିଲା ।