ଛଡ଼ାକିଆ ମଣ୍ଡଳୀ ପକ୍ଷରୁ ଧୁମଧାମରେ ରୌପ୍ୟ ଜୟନ୍ତୀ ପାଳିତ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅଞ୍ଚଳ ସିକରମାହା ଧର୍ମାଞ୍ଚଳର ଛଡ଼ାକିଆ ମଣ୍ଡଳୀ ପକ୍ଷରୁ ନିତ୍ୟ ସହାୟ କାରିଣୀ ମା ‘ ମେରିଙ୍କ ପର୍ବର ରୌପ୍ୟ ଜୟନ୍ତୀ ଧୁମ୍ ଧାମରେ ପାଳନ କରାଯିବା ସହ ନୂତନ ଗୁମ୍ଫା ପ୍ରତିଷ୍ଠା ଓ ମା ‘ ମେରୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଏହି ଅବସରରେ ଧର୍ମାଞ୍ଚଳର ମୁଖ୍ୟ ଯାଜକ ମନୋଜ ବାଗ ସିଂଙ୍କ ତତ୍ତ୍ଵାବଧାନରେ ଛଡ଼ାକିଆ ଚର୍ଚ୍ଚ ପରିସରରେ ଏକ ମିଳିତ ଦିବ୍ୟ ଯଜ୍ଞର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କଟକ ଭୁବନେଶ୍ବର ମହାଧର୍ମ ପ୍ରଦେଶର ଧର୍ମାଧ୍ୟକ୍ଷ ଯୋହନ ବାରୱା (ଏସ ଭି ଡି) ଯୋଗ ଦେଇ ଦିବ୍ୟ ଯଜ୍ଞରେ ମୁଖ୍ୟ ପୌରହିତ୍ୟ କରି ଈଶ୍ବରଙ୍କ ବାକ୍ୟ ପରିବେଷଣ କରିଥିଲେ । ସମ୍ମାନିତ ଅତିଥି ଭାବେ ଭିକାର ଜେନେରାଲ ଫାଦର୍ ପ୍ରଦୋସ ଚନ୍ଦ୍ର ନାୟକ, ବ୍ରହ୍ମପୁର ଧର୍ମ ପ୍ରଦେଶର ଭି .ଜି ଫାଦେର ସଞ୍ଜୀବ ନାୟକ ସମେତ ବିଭିନ୍ନ ଅଞ୍ଚଳରୁ ଯାଜକ ଓ ସେବାଭଗ୍ନି ଗଣ ଉକ୍ତ ଦିବ୍ୟ ଯଜ୍ଞରେ ଯୋଗ ଦେଇ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଗ୍ରାମ୍ୟ ସଭାପତି ରଜନୀ ବଡ଼ ସେଟ୍ ଓ ସମ୍ପାଦକ ସଂଜିତ୍ ନାୟକଙ୍କ ନେତୃତ୍ୱରେ ଗ୍ରାମର ସମସ୍ତ ଆବାଳ ବୃଦ୍ଧ ବନିତା ଆଡ଼ମ୍ବର ସହକାରେ ଅତିଥିମାନଙ୍କୁ ଗାଁ ମୁଣ୍ଡରୁ ଚର୍ଚ୍ଚ ପର୍ଯ୍ୟନ୍ତ ପଟୁଆର ଶୋଭାଯାତ୍ରାରେ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ଏହା ପରେ ବିଶ୍ବାସୀମାନଙ୍କ ପ୍ରାର୍ଥନା ନିମନ୍ତେ ନବ ନିର୍ମିତ ମା ‘ ମେରୀଙ୍କ ଗୁମ୍ଫାକୁ ମୁଖ୍ୟ ଅତିଥି ଶ୍ରୀ ବାରୱା ଉଦ୍ଘାଟନ କରିଥିଲେ । ଦିବ୍ୟ ଯଜ୍ଞ ପ୍ରାରମ୍ଭରେ ମୁଖ୍ୟ ଯାଜକ ମନୋଜ ବାଗ ସିଂ ସମସ୍ତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ଦିବ୍ୟ ଯଜ୍ଞରେ ଅଂଶ ଗ୍ରହଣ କରିବାକୁ ବେଦୀକୁ ଆମନ୍ତ୍ରଣ କରିଥିବା ବେଳେ ଯାଜକ ମୋହନ ନାୟକ ରୌପ୍ୟ ଜୟନ୍ତୀର ବିବରଣୀ ପଠନ କରିଥିଲେ । ଯାଜକ ଭଞ୍ଜ କିଶୋର ନାୟକ ଓ ରାଜୀବ ଲୋଚନ ସିଂଙ୍କ ନିର୍ଦ୍ଦେଶନାରେ ଗ୍ରାମର ଯୁବକ ଯୁବତୀମାନେ ଯଜ୍ଞ କାଳୀନ ଭକ୍ତି ସଙ୍ଗୀତ ପରିବେଷଣ କରିଥିବା ବେଳେ ଯାଜକ ଆଶିଷ କୁମାର ଦିଗାଲ କାର୍ଯ୍ୟକ୍ରମର ସଂଯୋଜନା କରି ବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନାରେ ଗ୍ରାମର ସରୋଜ ଦିଗାଲ, ରାହୁଲ ବଳିଆର ସିଂ, କେଦାର ଦିଗାଲ, ହାସନ୍ ବଳିଆର ସିଂ, ବରୁଳ ବଳିଆର ସିଂଙ୍କ ସମେତ ସମସ୍ତ ଗ୍ରାମବାସୀମାନେ ସହଯୋଗ କରିଥିଲେ ।