ମେରୁ ଯାତ୍ରା ସହିତ ୨୧ ଦିନ ପରେ ଶେଷ ହେଲା ଗଞ୍ଜାମ ପ୍ରସିଦ୍ଧ ଦଣ୍ଡ ନାଚ…

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ମେରୁ ଯାତ୍ରା ସହିତ ଶେଷ ହେଲା ଗଞ୍ଜାମର ପାରମ୍ପରିକ ଦଣ୍ଡନାଚ l ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମେଳରେ ହିଞ୍ଜିଳିକାଟୁ ଓ ଶେରଗଡ଼ରେ ଅନୁଷ୍ଠିତ ହୋଇଛି ମେରୁ ଯାତ୍ରା । ମେରୁ ଯାତ୍ରା ପାଇଁ ହିଞ୍ଜିଳିକାଟୁ କାଳୀ ମନ୍ଦିରରେ ମେରୁ ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଦୀର୍ଘ ୨୧ଦିନ ଧରି ଅନୁଷ୍ଠିତ ହେଉଥିବା ପରମ୍ପରିକ ଦଣ୍ଡନାଚ ଆଜି ଶେଷ ହୋଇଛି । ଦଣ୍ଡୁଆମାନେ ୨୧ ଦିନ ଧରି ନିଷ୍ଟାର ସହିତ ଦିନକୁ ଗୋଟେ ଥର ଖାଇ ବ୍ରତ ପାଳନ କରିଥାଆନ୍ତି । ଆଜି ମେରୁ ଯାତ୍ରା ଅବସରରେ ମାଙ୍କ ମନ୍ଦିରରେ ମେରୁ ଘରେ ବେଲ କାଠରେ ତିଆରି ଦୋଳିରେ ପାଟଭୁକ୍ତାଙ୍କୁ ଓଲଟା ଝୁଲାଇ ତଳେ ଥିବା ମେରୁ ତଥା ଅଗ୍ନିକୁଣ୍ଡରେ ଝୁଣା ପକାଯାଇଥାଏ l ପାଟ ଭୁକ୍ତାଙ୍କ ନାକରୁ ୩ ବୁନ୍ଦା ରକ୍ତ ପଡିବା ପରେ ଦଣ୍ଡନାଚ ସମାପ୍ତ ହୋଇଥାଏ । ସେହି ଭଳି ଶେରଗଡ଼ ବ୍ଲକ୍ କୁଲାଡରେ ୧୪୦୦ ଦଣ୍ଡୁଆ ଓ ହିଞ୍ଜିଳିକାଟୁ ବ୍ଲକ୍ ବେଲଗାଁ, ଖଣ୍ଡରା, ସମରଝୋଳ, ରାଳବ, ଦୂର୍ବନ୍ଧ, ପୋଚିଲିମାରେ ମଧ୍ୟ ମେରୁ ଯାତ୍ରା ଅନୁଷ୍ଠିତ ହେବା ସହିତ ଦଣ୍ଡ ନାଚ ମଧ୍ୟ ଶେଷ ହୋଇଛି ।