ରାୟଗଡ(ଟିକି ଲିମା): ରାୟଗଡ ଗଜପତି-ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଗଙ୍ଗାବଡ ପଞ୍ଚାୟତର ତିନି ବିଦ୍ୟାଳୟରେ ତାଲା ପଡିବା ଘଟଣାରେ ଷଷ୍ଠ ଦିନରେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ଏବଂ ପୁଲିସ ପହଁଚି ଥିବା ଜଣାପଡ଼ିଛି । ଉଭୟ ଶିକ୍ଷା ଅଧିକାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ତିନୋଟି ବିଦ୍ୟାଳୟ ଅଞ୍ଚଳର ପଞ୍ଚାୟତର ପ୍ରାୟ ଅଶିଏ ଜଣ ଅଭିଭାବକ ଓ ନିର୍ବାଚିତ ପ୍ରତିନିଧିମାନେ ମିଶି ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆରକ୍ଷୀ ମହାନିରୀକ୍ଷକଙ୍କ ଅଫିସକୁ ଯାଇ ଏକ ଦାବିପତ୍ର ପ୍ରଦାନ କରି ଥିବା ଜଣାପଡ଼ିଛି । ଉକ୍ତ ଦାବୀପତ୍ରରେ ଚମ୍ପାପୁର ବିଦ୍ୟାଳୟରେ ଯୁକ୍ତିତର୍କରୁ ଆରମ୍ୱ ହୋଇ ଘଟିଥିବା ଗଣ୍ଡଗୋଳରେ ଶିକ୍ଷକ ଓ ତାଙ୍କ ସମ୍ପର୍କୀୟ ଦୁଇଜଣଙ୍କ ମାଡ଼ରେ ଅଭିଭାବକଙ୍କ ମୁଣ୍ଡ ଫାଟିବାକୁ ନେଇ ଗାରବନ୍ଧ ଥାନାରେ ଏତଲା ଦେବାରୁ ଏତଲା ଗ୍ରହଣ କରୁନ ଥିବା ବେଳେ ଏତଲା ଗ୍ରହଣ କରି ନିରପେକ୍ଷ ତଦନ୍ତ କରିବାକୁ ଦାବୀ କରି ସରପଞ୍ଚଙ୍କ ସହ ଅଂଚଳ ବାସୀ ଉକ୍ତ ଦାବି ପତ୍ର ପ୍ରଦାନ କରିଥିଲେ । ଏପଟେ ସରପଞ୍ଚ, ସମିତି ସଭ୍ୟା ଓ ଗ୍ରାମ ବାସୀ କେହି ଗ୍ରାମରେ ନ ଥିବାରୁ ଡିଇଓ, ବିଇଓ ଓ ପୁଲିସ ଅପେକ୍ଷା କରି କରି ଫେରିଥିବା ଜଣା ପଡ଼ିଛି ।