ଦାରିଙ୍ଗବାଡି(ଅଶୋକ ସିଂ): ସରକାରଙ୍କ ନିୟମରେ ବନ୍ଧା ଶିକ୍ଷକ କାହୁଁ ଚରଣ ସିଂ ବିଦ୍ୟାଳୟକୁ ଆଉ ପାଠ ପଢ଼ାଇବାକୁ ଯିବେନି । ଏପରି ଏକ ଖବର ପାଇ ସହ କର୍ମୀ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଦୁଃଖ ପ୍ରକାଶ କରିଛନ୍ତି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ କୁମ୍ଭାରିଗାଁ ପଞ୍ଚାୟତର ଗୁଡିକିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ କାହୁଁ ଚରଣ ସିଂଙ୍କ ସରକାରୀ ନିୟମାନୁଯାୟୀ ଶିକ୍ଷାଦାନର କାର୍ଯ୍ୟ କାଳ ସରିଯାଇଛି । ସୋମବାର ଦିନ ସେ ଶିକ୍ଷକତା କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ଅବସର ଗ୍ରହଣ କରିବା ପରେ ସେ ଯେ ଆଉ ବିଦ୍ୟାଳୟକୁ ଆସିବେ ନାହିଁ ତେଣୁ ଛାତ୍ରଛାତ୍ରୀ, ଅଭିଭାବକ ଓ ସହକର୍ମୀ ଶିକ୍ଷକମାନେ ଦୁଃଖ ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଉକ୍ତ ଶିକ୍ଷକଙ୍କ ଉଦ୍ଧେଶ୍ୟରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇ ଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶୀଳା ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବୃଷପତି ରଣ ସିଂ ସଭାପତିତ୍ବ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ୱାର୍ଡ ସଭ୍ୟା ଦିପାଳୀ ବଳିଆର ସିଂ, ଗ୍ରାମ୍ୟ ଭଦ୍ର ମନମୋହନ ନାୟକ, ଯୋଷେଫ ମନ୍ତ୍ରୀ , ସହକାରୀ ଶିକ୍ଷକ ଯୋଷବନ୍ତ କୁମାର ନାୟକ, ନିଳାମ୍ବର ମାଝୀ, କରୁଣାକର ନାୟକ, ଶିକ୍ଷୟିତ୍ରୀ ସୁନୀତା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷକତା ଜୀବନ ରେ ତାଙ୍କର ଅନୁଭୂତି, ଶିକ୍ଷାଦାନର ପଦ୍ଧତି, ଛାତ୍ର ବତ୍ସଳ ଶିକ୍ଷାଦାନ, ଅନୁଷ୍ଠାନ ପ୍ରତି ତାଙ୍କର ଆନ୍ତରିକତା ଆଦି ବିଭିନ୍ନ ବିଷୟରେ ବକ୍ତାମାନେ ତାଙ୍କ ଅଭିଭାଷଣରେ ବକ୍ତବ୍ୟ ରଖିଥିଲେ । ତାଙ୍କ ଶେଷ ଜୀବନରେ ସୁଖ ଶାନ୍ତି, ସମୃଦ୍ଧି କାମନା କରିବା ସହ କିଛି ଉପହାର ପ୍ରଦାନ କରିଥିଲେ । ସେହିପରି ଗ୍ରାମବାସୀମାନେ ମଧ୍ୟ ଉକ୍ତ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରି ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଶୁଭ କାମନା କରି ଛନ୍ତି । ଶିକ୍ଷକତା ଜୀବନ ଆରମ୍ଭରୁ ସୁରୁଖୁରୁରେ ସୁସ୍ଥ ସବଳ ରହି ବିଭିନ୍ନ ଘାତ ପ୍ରତିଘାତ ସହ୍ୟ କରି ଶାନ୍ତିରେ ଅବସର ଗ୍ରହଣ କରିପାରି ଥିବାରୁ ସେ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ସହ ରାଜ୍ୟ ସରକାର ଓ ସମସ୍ତ ସହକର୍ମୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ କୃତଜ୍ଞତାର ସହ ଧନ୍ୟବାଦ ଅର୍ପଣ କରିଛନ୍ତି ।