ଗୋଲାମୁଣ୍ଡା(ଅଶ୍ୱିନ ମଲ୍ଲିକ): ଋତୁରାଜ ବସନ୍ତର ଆଗମନରେ ଧରା ପୃଷ୍ଠରେ ଶୋଭା ପାଉଛି ପଳାସ ଫୁଲର ସମ୍ଭାର l ନାଲି ରଙ୍ଗର ଏହି ପଳାସ ଫୁଲ ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ବିଲ ହୁଡ଼ା, ପୋଖରୀ ହୁଡ଼ା, ରାସ୍ତା କଡ଼ରେ ଶୋଭା ପାଉଛି l ଚାରି ଆଡ଼େ ଅପୂର୍ବ ମନୋରମ ଦୃଶ୍ୟ l ସକାଳର ସୂର୍ଯ୍ୟ କିରଣର ନାଲି ରଙ୍ଗରେ ରଙ୍ଗୀନ ହୋଇ ଝରି ପଡୁଛି ପ୍ରକୃତିର ଅପରୂପ ଦୃଶ୍ୟ l ଥିରି ଥିରି ପବନରେ ଉତଫୁଲିତ ହୋଇ ଉଠୁଛି ଧରଣୀ ରାଣୀ l ଚାରିଆଡେ ପକ୍ଷୀଙ୍କ କିଚିରି ମିଚିରି ଶବ୍ଦ ସାଙ୍ଗକୁ ମନ ମତାଣିଆ ସ୍ୱର l କ୍ଲାନ୍ତ କୃଷକଟିଏ ହେଉ ଅବା ପଥିକଟିଏ ପଳାସ ଫୁଲକୁ ଦେଖି କ୍ଷଣିକ ପାଇଁ ଭୁଲିଯାଏ ଦୁଃଖ କଷ୍ଟ l ଭରିଦିଏ ମନରେ ଅସୁମାରୀ ଆନନ୍ଦ l ଖାଲି ସେତିକି ନୁହେଁ ପ୍ରକୃତି ସହିତ ପରିବେଷର ପରିପୂରକ ଅପୂର୍ବ ମନୋରମ ଦୃଶ୍ୟ ଦେଖି କେତେ କବି ଆତ୍ମହରା ହେଇ ଭାବୁକ ହୋଇଛନ୍ତି l ଭାବମୟ ବସନ୍ତ ଋତୁରେ ପରିବେଶକୁ ବିମୋହିତ କରିଦେଇଛି ପଳାସ ଫୁଲ l ଦୂରରୁ ଦେଖାଯାଏ ସତେ ଯେମିତି ନାଲି ଚାଦର ଭଳି l ଆକାଶର ଭସା ବାଦଲ ଓ ପୃଥିବୀର ଚକ ଚକ କରୁଥିବା ପଳାସ ଫୁଲ ସତେ ଯେମିତି ପରସ୍ପରକୁ ଚାହିଁ ରହିଛନ୍ତି ଚାତକ ଭଳି l ପ୍ରାଚୀନ ଭାରତୀୟ ପରମ୍ପରାରେ ପଳାସ ଫୁଲର ବିଶେଷ ଗୁରୁତ୍ୱ ରହିଛି l ପଶ୍ଚିମ ଓଡ଼ିଶାରେ ଆଜି ମଧ୍ୟ ଅବିଚାର ତନ୍ତ୍ର ଧାରା ବଞ୍ଚି ରହିଛି ଓ ଏଥିରେ ବିଭିନ୍ନ ଦେବା ଦେବୀଙ୍କୁ ମଧ୍ୟ ବଳି ଆଦି ପ୍ରଦାନ କରାଯାଇ ଉପାସନା କରାଯାଏ l ଚୈତ୍ର ମାସରେ ଅନେକ ଦେବଦେବୀମାନଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ ଓ ଏଥିରେ ପଳାସ ଫୁଲ ଲାଗି କରାଯାଇଥାଏ l