ଜାଗର ପାଇଁ ଚଳଚଞ୍ଚଳ ଗୋଳାମୁଣ୍ଡା ଅଂଚଳର ଶୈବପୀଠ…

ଗୋଲାମୁଣ୍ଡା(ଅଶ୍ୱିନ ମଲ୍ଲିକ): ଫାଲ୍‌ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ ହୁଏ ମହାଶିବରାତ୍ରି । ଭଗବାନ ଶିବଙ୍କୁ ବ୍ରତ ମଧ୍ୟରେ ଶିବରାତ୍ରି ବ୍ରତ ଅତ୍ୟନ୍ତ ସିଦ୍ଧିଦାୟକ । ଦେବଦେବ ମହାଦେବଙ୍କ ଦ୍ବାରା ବିଶ୍ୱ ସୃଷ୍ଟି ବୋଲି ବିଶ୍ବାସ ରହିଛି । ପୌରାଣିକ କଥାବସ୍ତୁ ଅନୁଯାୟୀ, ଯେତେବେଳେ ଦେବ ଓ ଅସୁରମାନଙ୍କ ଦ୍ୱାରା ସମୁଦ୍ର ମନ୍ଥନ ହୋଇଥିଲା l ସେତେବେଳେ ବାହାରିଥିବା ସମସ୍ତ ବିଷକୁ ଶିବ ପାନକରି ଦେଇଥିଲେ । ଏହାପରେ ବିଷର ଜ୍ୱାଳାରେ ସେ ମୂର୍ଚ୍ଛା ହୋଇଯାଇଥିଲେ । ତେଣୁ ଦେବଗଣ ଓ ଶୈବବୃନ୍ଦ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ । ସେହିଦିନକୁ ମନେପକାଇ ଶ୍ରଦ୍ଧାଳୁମାନେ ମହାଶିବରାତ୍ରି ପାଳନ କରିଥାନ୍ତି ।ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବ ଲିଙ୍ଗ ଭାବରେ ଆବିର୍ଭୂତ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ମହାଶିବରାତ୍ରି ଭାବରେ ମଧ୍ୟ ପାଳନ କରାଯାଏ । ମହା ଶିବରାତ୍ରୀ/ ଜାଗର ପାଇଁ କଲାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସମସ୍ତ ଶୈବପୀଠରେ ସକାଳୁ ଭିଡ଼ ଜମିବାରେ ଲାଗିଛି । ଗୋଲାମୁଣ୍ଡା ବ୍ଲକରେ ଅନେକ ଶୈବପୀଠ ମଧ୍ୟରୁ ଫରଙ୍ଗ ଗ୍ରାମ ପଞ୍ଚାୟତ ଅଧିନରେ ଚୋରା ପାହାଡ ପାଦଦେଶରେ ଅବସ୍ଥିତ ଗଦଲାଝରନ ଶୈବପୀଠରେ ଲକ୍ଷାଧିକ ଶୈବ ଭକ୍ତଙ୍କ ସମାଗମ ହୋଇଥାଏ । ପଡୋଶୀ ରାଜ୍ୟ ଛତିଶଗଡ ତଥା ପଡୋଶୀ ଜିଲ୍ଲାରୁ ହଜାର ହଜାର ଭକ୍ତମାନଙ୍କର ସମାଗମ ହୋଇଥାଏ ।  ନୂଆଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ କରଞ୍ଜକୋଟ ଶୈବପୀଠ ରେ ମଧ୍ୟ ହଜାର ହଜାର ଭକ୍ତମାନଙ୍କର ସମାଗମ ହୋଉଛି । ସେହିଭଳି ମହାଲିଙ୍ଗ, ଉଦେଶୃଙ୍ଗ, ଚପୁରିଆ, ଗୋଲାମୁଣ୍ଡା,ମାନଝରୀ ର ଶୈବପୀଠ ରେ ସକାଳ ୫:୩୦ ରୁ  ଅପରାହ୍ନ  ଯାଏଁ ଭିଡ଼ ଦେଖିବାକୁ ମିଳିଥିଲା । ଗୋଲାମୁଣ୍ଡା ବ୍ଲକ ରେ ବିଭିନ୍ନ ଶୈବପୀଠ ମାନଙ୍କରେ ଅଖଣ୍ଡ ନାମ ଯଜ୍ଞ ମଧ୍ୟ ହେଇଅଛି । ସେଥିପାଇଁ ସମସ୍ତ ଶୈବପୀଠ ମାନଙ୍କରେ ଶୈବ ଭକ୍ତ ନିଜ ମନସ୍କାମନା ପୂରଣ ପାଇଁ ଶିବ ଉପାସନା ସହିତ ହରେକୃଷ୍ଣ ହରେରାମ ମହା ମନ୍ତ୍ର ପାନ କରୁଛନ୍ତି । ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଶୈବପୀଠର ପୁନଃରୁଦ୍ଧାର କରାଗଲେ ଆଗାମୀ ଦିନରେ ପର୍ଯ୍ୟଟକମାନଙ୍କ ଆଗମନ ବଢ଼ିବ ବୋଲି ବିଭିନ୍ନ ମହଲାରେ ଚର୍ଚ୍ଚା ଜୋର ଧରିଛି ।