ଦାରିଙ୍ଗବାଡି(ଆଶୋକ ସିଂ): ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ଗ୍ରାମାଞ୍ଚଳ ସ୍ତରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର “ବିକଶିତ ଗାଁ ବିକଶିତ ଓଡ଼ିଶା” ଯୋଜନା ମାଧ୍ୟମରେ ସଡ଼କ ସଂଯୋଗ ଓ ପାନୀୟଜଳ ଯୋଗାଣ ଯୋଗାଇବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି l ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡି ପଞ୍ଚାୟତ ସମିତି ପକ୍ଷରୁ ସ୍ଥାନୀୟ ସମିତି ସଭାଗୃହରେ ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଆୟୋଜିତ ବୈଠକରେ ବିଡ଼ିଓ ପ୍ରୀତି ରଞ୍ଜନ ରଥ ବୈଠକର ପୂର୍ବ ଆଭାସ ପ୍ରଦାନ କରିଥିଲେ । ପ୍ରତ୍ୟେକ ପଞ୍ଚାୟତରୁ ଗ୍ରାମ ସଭା ଜରୀଆରେ ଆଗତ ସମସ୍ତ ପ୍ରକଳ୍ପକୁ ମଞ୍ଜୁର କରି ୨୦୨୪ -୨୫ ଆର୍ଥିକ ବର୍ଷ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ଜିଲ୍ଲାପାଳଙ୍କ ଅନୁମୋଦନ ପାଇଁ ପ୍ରେରଣ କରାଯିବ ବୋଲି ବୈଠକ ରେ ଆଲୋଚନା କରାଯାଇ ଥିଲା । ଏହି ବୈଠକରେ ବିଶେଷ କରି ଅପହଞ୍ଚ ଇଲାକାକୁ ପ୍ରଧାନ ମନ୍ତ୍ରୀ ସଡ଼କ ସଂଯୋଗ ଓ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ବ ଦିଆଯାଇ ଥିଲା । ଖରା ଦିନ ପାଖେଇ ଆସୁଥିବା ବେଳେ ବ୍ଲକ ଅଞ୍ଚଳରେ ଏବେ ଠାରୁ ହିଁ ପାନୀୟ ଜଳର ଅଭାବ ଦେଖାଦେଇଛି l ୨୫ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ମାନେ ନିଜ ନିଜ ଅଞ୍ଚଳର ସମସ୍ୟା ଗୁଡିକୁ ସମିତିରେ ଉପସ୍ଥାପନ କରି ଥିବା ବେଳେ ତାହା କେବେ କାର୍ଯ୍ୟକାରି ହେବ ଦେଖିବାକୁ ବାକି ରହିଲା ।