ହାତୀପଲ ଦୌରାତ୍ମ, ବିଦ୍ୟାଳୟ ଭାଙ୍ଗିଲେ..

ଭଞ୍ଜନଗର(ନିଲୁ ବିଷୋୟୀ): ଗତ କିଛି ଦିନ ହେବ ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧିନ ମୁଜାଗଡ ବନାଞ୍ଚଳରେ ୨୪ ଟିକିଆ ହାତୀପଲଙ୍କ ଗତିବିଧି ଜାରି ରହିଛି । ସନ୍ଧ୍ୟା ହେଲେ ହାତୀପଲ ଜଙ୍ଗଲରୁ ବାହାରକୁ ଚାଲି ଆସୁଥିବାରୁ ଚାଷୀମାନଙ୍କ ଚିନ୍ତା ବଢିବାରେ ଲାଗିଛି । ଘରେ ରହିଥିବା ଧାନ ବସ୍ତା ଟାଣି ନେଇ ଯାଉଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି । ଚିଟିପଲ୍ଲୀ ଇଲାକାରେ ହାତୀପଲ ରହିଥିବା ବେଳେ ଗତ ୩ ଦିନ ପୂର୍ବେ ବ୍ୟାପକ କ୍ଷୟକ୍ଷତିର କରିଥିଲେ । ରବିବାର ରାତିରେ ମଧ୍ୟ ହାତୀପଲ ଜଙ୍ଗଲ ବାହାରକୁ ବାହାରି ଧାନ ବସ୍ତା ଟାଣି ନେବା ସହ ବିରିକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଝରକା ଭାଙ୍ଗି ବିଦ୍ୟାଳୟର ଆସବାବପତ୍ର ନଷ୍ଟ କରିଥିବା ଅଭିଯୋଗ ହୋଇଛି । ହାତୀପଲଙ୍କ ଦୌରାତ୍ମ ଯୋଗୁ ବନ କର୍ମଚାରୀ ନାକେଦମ ହେଉଛନ୍ତି । ଗତ ଦୁଇ ସପ୍ତାହ ଧରି ମୁଜାଗଡ ବନାଞ୍ଚଳରେ ହାତୀପଲ ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ଏହି ବନାଞ୍ଚଳର ବିଭିନ୍ନ ସ୍ଥାନରେ ହାତୀପଲ ଘର ଭାଙ୍ଗିବା ସହ ଧାନ ଓ ଚାଉଳ ବସ୍ତା ଟାଣି ଖାଇଥିଲେ ।  ବର୍ତ୍ତମାନ ଏହି ହାତୀପଲ ଡ଼ହ ସେକସନ୍ ଅଧୀନ ବିରିକୋଟ ଗ୍ରାମ ନିକଟବର୍ତ୍ତି ଜଙ୍ଗଲ ଇଲାକାରେ ଚଳପ୍ରଚଳ କରୁଛନ୍ତି । କିଛି ଚାଷୀଙ୍କ ପରିବା ବାଡି ନଷ୍ଟ କରିଥିବା ବେଳେ କିଛି ଚାଷୀଙ୍କ ଘରୁ ଧାନ ବସ୍ତା ଟାଣି ନେଇଥିବା ପ୍ରକାଶ କରିଛନ୍ତି । ରବିବାର ରାତିରେ ହାତୀପଲ ବିରିକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଶି ଝରକା ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ବିଦ୍ୟାଳୟ ବହୁ ଆସବାବପତ୍ର ସହ ଟେବୁଲ ଚେୟାର ଭାଙ୍ଗିଥିବା ଅଭିଯୋଗ ହୋଇଛି । ଏହା ପରେ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । ହାତୀପଲଙ୍କ ଉପଦ୍ରବ ପରେ ସ୍ଥାନୀୟ ଅଞ୍ଚଳ ବାସୀନ୍ଦା ଭୟଭୀତ ହୋଇ ପଡିଛନ୍ତି ।