ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ର ବାଧକ ସାଜିଛି ଯାତ୍ରୀ ବିଶ୍ରାମ ଗାର, ତ୍ରିନାଥ ମଣ୍ଡପ ଓ ବେଦଖଲ ଦୋକାନ ଗୃହ…

ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବଜାର ଦେଇ ପ୍ରାୟ ୩.୫ କିମି ପୂର୍ତ୍ତ ବିଭାଗ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ସରିବାକୁ ବସିଲାଣି l ନୂତନ ଭାବେ ସଜେଇ ହେଉଛି ବ୍ରାହ୍ମଣୀଗାଁ ବଜାର l ସ୍ୱାଧୀନତାର ଦିର୍ଘ ୭୭ବର୍ଷ ପରେ ଏହି ରାସ୍ତାର ଉନ୍ନତି କରଣ ପାଇଁ ସରକାରୀ ଅନୁଦାନ ମିଳି ଥିବାରୁ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି । ଦୁଃଖର ବିଷୟ ଏହି, ଯେଉଁ ଠିକା ସଂସ୍ଥା ଏହି କାର୍ଯ୍ୟ କରୁଛି ତାହା ବିଭାଗୀୟ ଅଧିକାରୀମାନଙ୍କ ସଠିକ୍ ତଦାରଖର ଅଭାବ ହେତୁ ଅତି ନିମ୍ନ ମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି l କାର୍ଯ୍ୟ ଆରମ୍ଭ ପୁର୍ବରୁ ପ୍ରଶାସନ ପକ୍ଷରୁ ଦିଆ ଯାଇଥିବା ପ୍ରତିଶୃତିକୁ ଏଠି ପାଳନ କରାଯାଉ ନାହିଁ ।
<span;>ପ୍ରଥମତଃ ୩.୫କିମି ରାସ୍ତା ସମ୍ପ୍ରସାରଣ ହେବ, ବଜାର ମଧ୍ୟରେ ପ୍ରାୟ ୯୦୦ମିଟର ରାସ୍ତା କୁ ସମ୍ପ୍ରସାରଣ କରି ୧୦ମିଟର ପିଚୁ ପଡ଼ିବ ଓ ବଳକା ରାସ୍ତା ୭ମିଟର ପର୍ଯ୍ୟନ୍ତ ପିଚୁ ପଡ଼ିବ । ଦ୍ଵିତୀୟରେ ରାସ୍ତାର  ଉଭୟ ପାର୍ଶ୍ଵ  ଡ୍ରେନ୍ ପର୍ଯ୍ୟନ୍ତ ପ୍ରାୟ ୨.୫ମିଟର ଫେବର୍ ପ୍ଲେଟ ପଡ଼ିବ l ଉଭୟ ପାର୍ଶ୍ଵରେ ନୂତନ ଡ୍ରେନ ନିର୍ମାଣ ହେବ । ଏହି ସବୁ କାର୍ଯ୍ୟକୁ ଆଗକୁ ନେବା ପାଇଁ ବ୍ଲକ ପ୍ରଶାସନ, ବିଭାଗୀୟ ଯନ୍ତ୍ରୀ ଓ ବଜାର ତଥା ସ୍ଥାନୀୟ ବାସୀଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଥିଲା l ସେହି ସମୟରେ ସ୍ଥାନୀୟ ବସୀଙ୍କୁ ଆବଶ୍ୟକୀୟ ସ୍ଥାନ ଖାଲି କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଧେଶ ଦିଆଯାଇଥିଲା l ଲୋକଙ୍କ ଦାବୀ ମୁତାବକ ବଜାର ମଧ୍ୟରେ ଜବର ଦଖଲ ଉଚ୍ଛେଦ କରି ଯାତ୍ରୀ ବିଶ୍ରାମ ଗାର, ଗୋଷ୍ଠୀ ଶୌଚାଳୟ ନିର୍ମାଣ ଓ ତ୍ରିନାଥ ମଣ୍ଡପ କରିବାକୁ ପ୍ରତିଶୃତି ଦିଆ ଯାଇଥିଲା । କାମ ସରିବାକୁ ବସିଲାଣି, ପ୍ରତିଶୃତି ଅନୁଯାୟୀ କୌଣସି କାର୍ଯ୍ୟ ହେଉ ନ ଥିବା ଅଭିଯୋଗ ହେଉଛି l ଯେଉଁ ପିଚୁ ପଡ଼ିଛି ତାହା ଅତି ନିମ୍ନମାନର, ସଠିକ ଭାବେ ରାସ୍ତାରେ ରୋଲାର ଭାଇବ୍ରେଶନ ଦିଆଯାଇ ନଥିବାଓ ନିମ୍ନ ମାନର ପିଚୁ ବ୍ଯବହାର କରାଯାଉଥିବାରୁ ଅନେକ ସ୍ଥାନରେ ପିଚୁ ଉଠୁ ଥିବା ଦେଖିବାକୁ ମିଳୁଛି l ବିଶ୍ରାମଗାର ପାର୍ଶ୍ଵରୁ ଥାନା ଛକ ପର୍ୟ୍ୟନ୍ତ ଡ୍ରେନ ନିର୍ମାଣ ହୋଇ ପାରି ନାହିଁ । ରାସ୍ତା ଉଭୟ ପାର୍ଶ୍ଵରେ ଅଣ ଓସାରିଆ ଭାବେ ଫେବର ପ୍ଲେଟ ପଡ଼ିଛି l କେତେକ ସ୍ଥାନରେ ୧ମିଟର ମଧ୍ୟ ଛୁଇଁ ନଥିବା ଦେଖିବାକୁ ମିଳୁଛି । ଜବର ଦଖଲ ଉଚ୍ଛେଦ କରି ଯାତ୍ରୀ ବିଶ୍ରାମ ଗାର ଓ ଶୌଚାଳୟ ନିର୍ମାଣ କରିବାର କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ । ବ୍ରାହ୍ମଣୀଗାଁରେ ଏକ ଶୌଚାଳୟର ନିତାନ୍ତ ଜରୁରୀ ଥିବା ବେଳେ ବ୍ଲକ୍ ପ୍ରଶାସନ ଜାଣି ଶୁଣି ନୀରବ ଦ୍ରଷ୍ଟା ସାଜିଛି । ପ୍ରାସାସନିକ ଅଧିକାରୀମାନେ କିଛି ହାତଗୁଞ୍ଜା ପାଇ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ଗୁରୁତ୍ଵ ଦେଉ ନଥିବା ଜନ ସାଧାରଣରେ ଚର୍ଚ୍ଚା ହେଉଛି । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ବ ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ନ କଲେ ଜନ ଆନ୍ଦୋଳନକୁ ଏଡ଼ାଇ ଦିଆ ଯାଇ ପାରିବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।