ଭଞ୍ଜନଗର(ନିଲୁ ବିଷୋୟୀ): ଚଳିତ ମାସ ୨୩ ତାରିଖ ରୁ ଗଞ୍ଜାମ ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ । ଏ ନେଇ ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଆରଏମସି ସମ୍ମିଳନୀ କକ୍ଷରେ ଉପଖଣ୍ଡସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ୧୨୧ ଟି ସେବା ସମବାୟ ସମିତି ଓ ୩୬ ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ଧାନ କିଣିବା ପାଇଁ ନିଷ୍ପତ୍ତି ହୋଇଛି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଧାନ ବିକ୍ରି, ସ୍ଵୟଂ ସହାୟକ ଗୋଷ୍ଠୀମାନେ ଧାନ କିଣିବା ଏବଂ ଚାଷୀମାନେ ଯେଉଁଭଳି କୌଣସି ସମସ୍ୟାର ସମ୍ମୁଖୀନ ନ ହେବେ ଏହି ଦିଗରେ ସମସ୍ତ ଆଲୋଚନା ହୋଇଥିଲା । ଚାଷୀ ଯେମିତି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଠାରୁ କମ ଦାମରେ ବେପାରୀମାନଙ୍କୁ ଧାନ ବିକ୍ରୟ ନ କରେ ଏହାକୁ ରୋକିବା ପାଇଁ ସମସ୍ତ ବ୍ଲକରୁ ତହସିଲଦାରଙ୍କ ନେତୃତ୍ବରେ ଏକ ଏନଫୋର୍ସମେଣ୍ଟ ଟିମ ଗଠନ କରାଯାଇଛି । ଭଞ୍ଜନଗର ଉପଖଣ୍ଡରେ ଗତ ବର୍ଷ ୩୫୯୨୮ ଜଣ ଚାଷୀଙ୍କ ଠାରୁ ୧୪,୭୦,୨୩୯.୦୭ କୁଇଣ୍ଟାଲ ଧାନ କିଣାଯାଇଥିବାବେଳେ ଚଳିତ ବର୍ଷ ଧାନ ବିକିବା ପାଇଁ ୪୬୬୨୦ ଜଣ ଚାଷୀ ପଞ୍ଜୀକୃତ କରିଛନ୍ତି । ଗତ ବର୍ଷ ମିଲରଙ୍କ ସଂଖ୍ୟା ୧୩୨ ଥିଲା ବେଳେ ଏ ବର୍ଷ ୧୩୪ ଜଣ ମିଲର ଧାନ କିଣାରେ ସହମତି ଦେଇଥିବା ସୂଚନା ମିଳିଛି । ଟୋକେନ ପାଇବାର ୩୦ ଦିନ ମଧ୍ୟରେ ଚାଷୀ ଧାନ ବିକ୍ରି କରିପାରିବେ । ଧାନ ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ପ୍ରତି କୁଇଣ୍ଟାଲ ଦର ଧାର୍ଯ୍ୟ ରଖାଯାଇଛି । ଏହା ବାଦ ରାଜ୍ୟ ସରକାର ପ୍ରତି କୁଇଣ୍ଟାଲ ଧାନରେ ୮୦୦ ଟଙ୍କା ଇନପୁଟ ଆସିଷ୍ଟIନ୍ସ ଦେବେ । ତେଣୁ ଜଣେ ଚାଷୀକୁ ସମୁଦାୟ ୩୧୦୦ ଟଙ୍କା କୁଇଣ୍ଟାଲ ପିଛା ମିଳିବ । ସେହିଭଳି ଗ୍ରେଡ- ଏ ଧାନର ମୂଲ୍ୟ ଗତ ବର୍ଷ ୨୨୦୩ ଟଙ୍କା ରହିଥିବା ବେଳେ ଚଳିତ ବର୍ଷ ଏହା ୨୩୨୦ ଟଙ୍କାକୁ ବୃଦ୍ଧି ପାଇଛି । ପଞ୍ଜୀକୃତ କରିଥିବା ଚାଷୀମାନେ ୧୯୬୭ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରି ସେମାନଙ୍କ ଟୋକେନ ଧାନ ବିକ୍ରୟ ତାରିଖ ଏବଂ ଅନ୍ୟାନ୍ୟ ବିଷୟରେ ସୂଚନା ପାଇପାରିବେ । ଚାଷୀଙ୍କୁ ଯେଉଁଭଳି କୌଣସି ସମସ୍ୟା ଉପୁଜିବ ନାହିଁ, ଧାନ କ୍ରୟ ସମୟରେ ଆବଶ୍ୟକ ହେଉଥିବା ଯନ୍ତ୍ରପାତି ସବୁକୁ ପ୍ରସ୍ତୁତ ରଖିବାକୁ ଉପଜିଲ୍ଲାପାଳ ଆର.ଏମ.ସି କର୍ତ୍ତୁପକ୍ଷଙ୍କୁ ନିର୍ଦେଶ ଦେବା ସହ ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଠାରୁ ଧାନ କିଣିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଉପଜିଲ୍ଲାପାଳ ଏଆରସିଏସଙ୍କୁ ଚଳିତ ମାସ ୧୫ ତାରିଖ ସୁଦ୍ଧା ସମସ୍ତ ସନ୍ଦିଗ୍ଧ ପ୍ଲଟର ଭେରିଫିକେସନ କାର୍ଯ୍ୟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତବର୍ଷ ସନ୍ଦିଗ୍ଧ ପ୍ଲଟ ସଂଖ୍ୟା ୧,୪୬,୦୬୭ ଥିଲା ବେଳେ ଏଥର ତାହା ୧,୧୭,୪୬୮ ଅଛି । ଉପଖଣ୍ଡ ରେ ଆସିକା ବ୍ଲକ ରେ ୧୮ ଟି ,ବେଲଗୁଣ୍ଠା ରେ ୧୩ ଟି, ଭଞ୍ଜନଗର ରେ ୧୨ ଟି, ବୁଗୁଡା ରେ ୧୪ ଟି, ଧରାକୋଟ ରେ ୧୫ ଟି, ଜଗନ୍ନାଥପ୍ରସାଦ ରେ ୧୭ ଟି, ଶେରଗଡ ରେ ୧୫ ଟି ସୋରଡା ରେ ୧୭ ଟି ସମବାୟ ସେବା ସମିତି ରେ ଧାନ କିଣାଯିବ I ଏଥିସହ ଆସିକା ବ୍ଲକ ରେ ୧୪ ଟି ,ବେଲଗୁଣ୍ଠା ରେ ୨ ଟି, ଭଞ୍ଜନଗର ରେ ୩ ଟି, ଧରାକୋଟ ରେ ୪ ଟି, ଜଗନ୍ନାଥପ୍ରସାଦ ରେ ୫ ଟି, ଶେରଗଡ ରେ ୪ ଟି , ସୋରଡା ରେ ୫ ଟି ସ୍ଵୟଂସହାୟକ ଗୋଷ୍ଠୀ ଧାନ କିଣିବେ ବୋଲି ସୂଚନା ମିଳିଛି । ପ୍ରଥମ ଥର ପାଇଁ ଏ ବର୍ଷ ପ୍ରତ୍ୟେକ ମଣ୍ଡି ପାଇଁ ଜଣେ ଜଣେ ନୋଡାଲ ଅଫିସର ନିଯୁକ୍ତ ହୋଇଛନ୍ତି। ପ୍ରତ୍ୟେକ ୪ ରୁ ୫ ମଣ୍ଡି ପାଇଁ ଜଣେ ଜଣେ ମଣ୍ଡି ସୁପରଭାଇଜର ନିଯୁକ୍ତ ହୋଇଛନ୍ତି । ସେମାନଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଧାନ କିଣା ପ୍ରକ୍ରିୟା ଚାଲିବ I ଏବର୍ଷ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ସୋସାଇଟିରେ ପ୍ରତ୍ୟେକ ଶହେ ଜଣ ଚାଷୀଙ୍କୁ ନେଇ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଉଛି । ସେଥିରେ ଚାଷୀ ମାନେ କିଭଳି ଏଫଏକ୍ୟୁ ଧାନ ମଣ୍ଡି କୁ ଆଣିବେ ସେଥିପାଇଁ ପ୍ରଶିକ୍ଷଣ ଦିଆଯାଉଛି । ଆରଏମସି ତରଫ ରୁ ମଣ୍ଡି ପାଇଁ ଜଣେ ଜଣେ ଗୁଣବତ୍ତା ବିଶ୍ଳେଷକ ଯୋଗାଇ ଦିଆଯିବ । ମଣ୍ଡିରେ ଧାନର ଗୁଣବତ୍ତା ପରୀକ୍ଷା ସମୟରେ ଏହି ଅଧିକାରୀ ମାନଙ୍କ ସହିତ ଚାଷୀ,ସମିତି ସମ୍ପାଦକ ଓ ମିଲର ପ୍ରତିନିଧି ରହିବେ। ବୈଠକରେ ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ ମହାନ୍ତିଙ୍କ ସମେତ ଉପଖଣ୍ଡ ଅଧୀନ ସମସ୍ତ ବ୍ଲକର ବିଡିଓ, ତହସିଲଦାର, ସିଡିପିଓ, ସମସ୍ତ ଯୋଗାଣ ନିରୀକ୍ଷକ, ଏଆରସିଏସ, ସମବାୟ ବିଭାଗର ଅଧିକାରୀ, ଆରଏମସି ସମ୍ପାଦକ, ମିଶନ ଶକ୍ତି କାଯ୍ୟକର୍ତ୍ତାଙ୍କ ସମେତ ମିଲର ସଂଘ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ ।