ଗୁଣପୁର(ସୁନିଲ୍ କୁମାର ସାବତ): ଗତ ଚାରି ବର୍ଷ ହେଲା ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଘନାତ୍ରୀ ପଞ୍ଚାୟତର ତରାମାଳ, ଖଇରା, ଫୁଲଫୁଟି, ଝୁମ୍ପାପୁର ପ୍ରଭୃତି ଗ୍ରାମରେ ହାତୀ ଆତଙ୍କ ଦେଖିବାକୁ ମିଳିଛିନ । ଫଳରେ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ପ୍ରଥମେ ଛଅ ଟିକିଆ ହାତୀପଲ ଆସି ଏହି ଅଞ୍ଚଳର ବ୍ୟାପକ କ୍ଷୟକ୍ଷତି କରିଥିଲେ । ଗତବର୍ଷ ହାତୀ ପଲଟି ଆନ୍ଧ୍ରପ୍ରଦେଶ ଚାଲି ଯାଇଥିଲେ ଏବଂ ସେଠାରେ ବିଦ୍ୟୁତ ଆଘାତରେ ଚାରୋଟି ହାତୀଙ୍କ ମୃତ୍ୟୁ ପରେ ବଳକା ଦୁଇଟି ହାତୀ ପୁଣି ଏହି ଅଞ୍ଚଳକୁ ଫେରିଆସିଥିଲେ । ଗତ ସେପ୍ଟେମ୍ବର ଚାରି ତାରିଖରେ ଫୁଲଫୁଟି ନିକଟରେ ବିଦ୍ୟୁତ ଆଘାତରେ ଆଉ ଏକ ମାଇ ହାତୀର ମୃତ୍ୟୁ ହୋଇଥିଲା । ଏବେ ସାଥି ହରାଇ ଏହି ଅଣ୍ଡିରା ହାତୀଟି ଉପଦ୍ରବ କରୁଥିବା ଦେଖିବାକୁ ମିଳିଛି । ଦିନବେଳେ ହାତୀଟି ପାହାଡ଼ ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟା ୪ ଟା ହେଲେ ଗ୍ରାମ ନିକଟକୁ ଆସି ବ୍ୟାପକ ଫସଲ ନଷ୍ଟ କରୁଛି । ବନ ବିଭାଗକୁ ଖବର ଦେଲେ ସେମାନେ ଆସି ଫଟୋ ଉଠାଇ ଚାଲିଯାଉଛନ୍ତି । ହାତୀ ଘଉଡାଇବା ତ ଦୂରର କଥା ହାତୀ ଘଉଡ଼ାଇବାକୁ ଚେଷ୍ଟା କଲେ ତୁମ ନାଁ ରେ କେସ୍ କରାଯିବ ବୋଲି ଧମକ ଦେଉଛନ୍ତି । ତିନିବର୍ଷ ହେଲାଣି ହାତୀ ଯୋଗୁଁ ବ୍ୟାପକ ଫସଲ ହାନି ହୋଇଥିଲେ ମଧ୍ୟ ସରକାରଙ୍କ ତରଫରୁ କୈାଣସି ସହାୟତା ଏଯାବତ ମିଳିନାହିଁ । କ୍ଷତିପୂରଣ ଆକଳନ କରି ମିଳୁଛି ଟୋକେନ କିନ୍ତୁ ପଇସା ଆସୁନି । ସ୍କୁଲ କଲେଜ ପିଲା ପାଠ ପଢ଼ିବାକୁ ସେହି ରାସ୍ତା ଦେଇ ଯାଉଥିବାରୁ ହାତୀ ଭୟ ସବୁବେଳେ ରହୁଛି । କେତେ ବେଳେ କ’ଣ ଅଘଟଣ ଘଟିବ ଏହି ଭୟରେ ଦିନ କାଟୁଛନ୍ତି ଅଞ୍ଚଳବାସୀ । ଏ ସଂକ୍ରାନ୍ତରେ ଆଜି ତରାମାଳ ଓ ଆଖପାଖ ଅଞ୍ଚଳବାସୀ ଗୁଣପୁର ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସରକାର ହାତୀକୁ ଅନ୍ୟତ୍ର ଘଉଡାଇ କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି ଜୋରଧରିଛି ।