ଧାନର ଏଫ୍ଏକ୍ୟୁ ସମ୍ପର୍କିତ ଉପଖଣ୍ଡ ସ୍ତରୀୟ ତାଲିମ ପ୍ରଦାନ…

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ଧାନ ପାଚିବା ଆରମ୍ଭ ହୋଇଗଲାଣି । ଉଚ୍ଚ ଓ ମଧ୍ୟମ କିସମ ଜମିରେ ଧାନ ଅମଳ ଜାରି ରହିଛି । ନଭେମ୍ବର ମାସ ଶେଷ ଆଡକୁ ଧାନ ଅମଳ ଜୋରଦାର ହେବ । ଡିସେମ୍ବର ୨୩ରୁ ଜିଲ୍ଲାରେ ମଣ୍ଡି ଖୋଲିବା ନେଇ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ଏହା ପୁର୍ବରୁ ଚଳିତ ଖରିଫ୍ ଋତୁରେ ଧାନ କିଣା ପାଇଁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସଭା ଗୃହରେ ଉପଖଣ୍ଡର ଭଞ୍ଜନଗର, ଜଗନ୍ନାଥପ୍ରସାଦ, ବେଲଗୁଣ୍ଠା, ଶେରଗଡ, ଆସିକା, ଧରାକୋଟ, ସୋରଡା ଓ ବୁଗୁଡା ବ୍ଲକର ଧାନ କିଣାରେ ସାମିଲ କର୍ମକର୍ତ୍ତାଙ୍କୁ ନେଇ ଧାନର ଗୁଣାତ୍ମକ ମାନ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ଆସିକା ଏଆରସିଏସ୍ ବିଜୟ କୁମାର ସାହୁ, ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ୍ ମହାନ୍ତି, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ସୁମନ୍ତ କୁମାର ସାହୁ ଯୋଗଦେଇ ଏଫ୍ଏକ୍ୟୁ ଧାନର ମାନ ସମ୍ପର୍କରେ ଉପସ୍ଥିତ ଚାଷୀମାନଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ । ଚଳିତ ଖରିଫ୍ ଋତୁରେ ଚାଷୀମାନଙ୍କ ଠାରୁ କିଭଳି ଏଫ୍ଏକ୍ୟୁ ମାନର ଧାନ କ୍ରୟ କରାଯିବ ସେ ସମ୍ପର୍କରେ ସଚେତନ କରାଇଥିଲେ । ଏହା ସହ ଚଳିତବର୍ଷ ରାଜ୍ୟ ସରକାରଙ୍କ ବିଭିନ୍ନ ନୁଆ ନିୟମ ସଂକ୍ରାନ୍ତରେ ଚାଷୀ ମାନଙ୍କୁ ଅବଗତ କରାଇଥିଲେ । ପ୍ରଶିକ୍ଷଣରେ ଉପଖଣ୍ଡର ପ୍ରାଥମିକ ସେବା ସମବାୟ ସମିତିର ସମ୍ପାଦକ, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟ, ଆରଏମସି କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।