ଭଞ୍ଜନଗର(ନିଲୁ ବିଷୋୟୀ): ସ୍ଥାନୀୟ ନାୟକ ଭବନ ଠାରେ ଘୁମୁସର ବିକାଶ ପରିଷଦର ଏକ ଜରୁରୀ ବୈଠକ ସଭାପତି ସୋମନାଥ ନାୟକ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛ । ଦିବଂଗତ ସଦସ୍ୟ ହରିକୃଷ୍ଣ ସାହୁଙ୍କ ଅକାଳ ବିୟୋଗରେ ଦୁଇ ମିନିଟ ନୀରବ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଗତ ବୈଠକର ବିବରଣୀ ପାଠ କରିଥିଲେ । ବିଧାୟକ ପ୍ରଦ୍ୟୁମ୍ନ ନାୟକ ଭଞ୍ଜନଗର ରେ ଶୀତଳ ଭଣ୍ଡାରର ଶିଳାନ୍ୟାସ କରି ଘୁମୁସର ଚାଷୀମାନଙ୍କ ବହୁବର୍ଷର ଦାବୀ ପୂରଣ କରିଥିବାରୁ ପରିଷଦ ତରଫରୁ ବିଶେଷ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଏଥି ସହିତ ଭଞ୍ଜନଗର ଓକିଲ ସଂଘ ଦୀର୍ଘ ଚାଳିଶ ବର୍ଷପରେ ଭଞ୍ଜନଗରରେ ଓଡିଶା ଓକିଲ ସଂଘ ବାର୍ଷିକ ଅଧିବେଶନ ଆସନ୍ତା ଡିସେମ୍ବରରେ ଦୁଇଦିନ ଧରି ପାଳନ କରୁଥିବାରୁ ସ୍ୱାଗତ କରାଯାଇଥିଲା । ଘୁମୁସର ଜିଲ୍ଲା ଦାବୀ କିପରି ଶୀଘ୍ର ପୂରଣ ହେବ ସେ ଦିଗରେ ଆଶୁ ପଦକ୍ଷେପ ନେବାକୁ ବିଧାୟକ ମହୋଦୟଙ୍କୁ ଅନୁରୋଧ ଜଣାଇ ପ୍ରସ୍ତାବ ଗୃହୀତ ହୋଇଛି । ଏ ଦିଗରେ ସ୍ଥାନୀୟ ମନ୍ତ୍ରୀ ଓ ବିଧାୟକମାନଙ୍କୁ ସହଯୋଗ କରିବାକୁ ସବୁ ବ୍ଲକ ର ୫ଜଣ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଘୁମୁସର ଜିଲ୍ଲା ସାଙ୍ଗକୁ ଭଞ୍ଜନଗର ଏନ.ଏ.ସିକୁ ତୁରନ୍ତ ମୁନିସିପାଲିଟି ଭାବେ କାର୍ଯ୍ୟକ୍ଷମ କରିବା, ତାରାସିଂଙ୍ଗି ନିକଟ ତିନି ଛକିଆ, ବାଲିପଦର ଓ ସୋରଡ଼ା ବଡ଼ଗଡ଼କୁ ବ୍ଲକ ଘୋଷଣା କରିବାକୁ ଦାବୀରଖି ଅନ୍ୟ ଏକ ପ୍ରସ୍ତାବ ଗୃହୀତ ହୋଇଛି । ଦିବଂଗତ ନ୍ୟାସୀଙ୍କ ଜାଗାରେ ବାଉଁଶଲୁଣ୍ଡି ଗ୍ରାମର ସୁରେନ୍ଦ୍ର ବେହେରାଙ୍କୁ ସର୍ବ ସମ୍ମତି କ୍ରମେ ଗ୍ରହଣ କରାଯାଇଛି । ଗୋପାଳ ଚନ୍ଦ୍ର ଲେଙ୍କା, ରବି ନାରାୟଣ ସାମନ୍ତ, ଗୋବିନ୍ଦ ଚନ୍ଦ୍ର ଲେଙ୍କା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।