ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଲକ ଅଧିନ ବଡକୋଦଣ୍ଡା ଓ ଡୁମାକୁମ୍ପା ପଞ୍ଚାୟତରେ ଗୁରୁବାର ଉଦଘାଟନୀ କାର୍ଯ୍ୟକ୍ରମ ହୋଇଛି । ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଓ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଅତିଥି ଭାବେ ଯୋଗଦେଇ ବହୁ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଉଭୟେ ପ୍ରଥମେ ବଡକୋଦଣ୍ଡା ପଞ୍ଚାୟତର ଟୋକାଗଣ୍ଡା ଓ ଦଣ୍ଡିପଦର ଠାରେ ନବନିର୍ମିତ ବନ ସୁରକ୍ଷା ସମିତିର ଗୃହ ଉଦଘାଟନ କରିଥିଲେ । ପରେ ଡୁମାକୁମ୍ପା ପଞ୍ଚାୟତର ବଡରାଉଳ ପୀଠରେ ନବନିର୍ମିତ ଗୋଷ୍ଠୀ ଗୃହ ଉଦଘାଟନ କରିଥିଲେ । ସେହିପରି ଡୁମାକୁମ୍ପା ପଞ୍ଚାୟତର ଡୁମାକୁମ୍ପା, ଆଖୁପଦର ଓ ଇନ୍ଦାଗଡ ଠାରେ ନବନିର୍ମିତ ବନ ସୁରକ୍ଷା ସମିତି ଗୃହକୁ ଉଦଘାଟନ କରିଥିଲେ । ବିଭିନ୍ନ ସ୍ଥାନରେ ଗ୍ରାମର ବିଭିନ୍ନ ସମସ୍ୟା ନେଇ ମହିଳାମାନେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯଥାଶୀଘ୍ର ଏହାର ସମାଧାନ କରାଯିବ ବୋଲି ବିଧାୟକ ଶ୍ରୀ ନାୟକ ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହା ପରେ ଡହ ବଙ୍ଗଳା ଠାରେ ଆୟୋଜିତ ସାଧାରଣ ସଭାରେ ପୂର୍ଵ ବିଜେଡି ସରକାର ଉପରେ ଖୁବ୍ ବର୍ଷିବା ସହ ଦୀର୍ଘ ବର୍ଷର ସରକାର ରହି ମଧ୍ୟ ଅଞ୍ଚଳର ବିକାଶ ବଦଳରେ ବିନାଶ ହୋଇଛି । ଆଜି ମଧ୍ୟ ଲୋକଙ୍କ ପାଖରେ ମୌଳିକ ସୁବିଧା ପହଞ୍ଚିନାହିଁ । ଆଗାମୀ ଦିନରେ ଭଞ୍ଜନଗରର ବିକାଶ କରାଯିବ । ଡହ ଜଳଭଣ୍ଡାରର ପୁନରୁଦ୍ଧାର କରାଯିବ । ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ କୌଣସି ଅର୍ଥର ଅଭାବ ରହିବ ନାହିଁ ବୋଲି ବିଧାୟକ ଶ୍ରୀ ନାୟକ ନିଜ ବକ୍ତବ୍ୟରେ କହିଛନ୍ତି । ପରେ ବିଧାୟକ ଶ୍ରୀ ନାୟକ ବାପାଙ୍ଗି ପୀଠ ପରିଦର୍ଶନ ଯାଇ ମାଆଙ୍କ ଦର୍ଶନ କରିବା ସହ ଲାଗି ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ବଡକୋଦଣ୍ଡା ସରପଞ୍ଚ ରେଶ୍ମା କୁମାରୀ ନାୟକ, ଡୁମାକୁମ୍ପା ସରପଞ୍ଚ ସ୍ୱପ୍ନା ନାୟକ, ସମିତିସଭ୍ଯା ଝୁମୁରି ବେହେରା, ବ୍ଲକ ସାଂସଦ ପ୍ରତିନିଧି ରବିନ୍ଦ୍ର କୁମାର ଗୌଡ,ଯୁବ ନେତା ଶିବଶଙ୍କର ପ୍ରଧାନ, ଘୁମୁସର ଜିଲ୍ଲା ସାଧାରଣ ସଂପାଦକ ନୀଳମାଧବ ପାତ୍ର,ଓବିସି ମୋର୍ଚ୍ଚା ସଭାପତି ମାନସ ଜେନା, ହୃଷୀକେଶ ପ୍ରଧାନ, ପ୍ରତାପ ନାୟକ, ନାରାୟଣ ବେହେରା, ବିନୋଦ ଗୌଡ଼ଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।