ବଦଳୁଛି ମାଣ୍ଡିପଙ୍କାର ଚିତ୍ର, ଆମ୍ବ ଟାକୁଆ ଘଟଣା ପରେ ଉନ୍ନୟନ ମୂଳକ କାର୍ଯ୍ୟରେ ପ୍ରଶାସନର ତତ୍ପରତା….

ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଜାଉ ଖାଇ ଦୁଇ ଜଣଙ୍କ ଅକାଳ ବିୟୋଗ ଓ ୬ ଜଣ ଗୁରୁତର ଘଟଣା ପରେ ବିଭିନ୍ନ ରାଜ ନେତା, ଅଫିସରମାନଙ୍କ ସୁଅ ଛୁଟିଥିଲା l ଏହି ଗ୍ରାମ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରୁ ବହୁତ ଅବହେଳିତ ଥିବା ଦୃଶ୍ୟ ଲୋକ ଲୋଚନକୁ ଆସିଥିଲା l ଘଟଣା ପରେ ତତ୍ପର ହୋଇପଡ଼ିଛି ସ୍ଥାନୀୟ ପ୍ରଶାସନ। ଅବହେଳିତ ମାଣ୍ଡିପଙ୍କା ଗ୍ରାମର ବିକାଶ ପାଇଁ ସ୍ଥାନୀୟ ବ୍ଲକ ପ୍ରଶାସନ ଓ ଜିଲା ପ୍ରଶାସନ ପକ୍ଷରୁ ଲୋକଙ୍କ ଯାହା ସମସ୍ୟା ରହିଛି ତା’ର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି । ଲୋକଙ୍କ ଦାବି ଅନୁସାରେ ପ୍ରାୟ ସାଢ଼େ ୪ ଲକ୍ଷ ଟଙ୍କା ଖର୍ଚ୍ଚ ରେ ସୋଲାର ପମ୍ପ ଦ୍ୱାରା ଜଳ ଯୋଗାଣ କାର୍ଯ୍ଯ ଆରମ୍ଭ ହୋଇଛି । ସାହିକୁ କଂକ୍ରିଟ ରାସ୍ତା ନର୍ମାଣ କରାଯିବାକୁ ଓ ମୋବାଇଲ ଟାୱାର ସ୍ଥାପନ କରିବାକୁ ଗାଁ ଲୋକ ପ୍ରଶାସନ ନିକଟରେ ଦାବି ଜଣାଇଥିଲେ ତେବେ ଏବେ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ବିନିମୟରେ ମାଣ୍ଡିପଙ୍କାର ଦଡ଼ାସାହି ସମେତ ଅନ୍ୟ ସାହିକୁ ପେଭରବ୍ଲକ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ମୋବାଇଲ ଟାୱାର ସ୍ଥାପନ କାର୍ଯ୍ୟ ମଧ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଜଣା ପଡ଼ିଛି । ଲୋକଙ୍କର ଏକାଧିକ ଦାବୀ ରହିଥିବା ବେଳେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟ କରାଯାଉଥିବା ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ କହିଛନ୍ତି ।