ରାସ୍ତା ଖରାପ ଯୋଗୁଁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ: ୨ କିମି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ, ଅଧରାସ୍ତାରେ ଜନ୍ମାନେଲା ଶିଶୁକନ୍ୟା…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀର ବିକାଶର ଏ ଆଉ ଏକ ଚିତ୍ର I ଯାହାକି ସମସ୍ତଙ୍କୁ ବ୍ୟଥିତ ଏବଂ ଚିନ୍ତିତ କରିଛି I ରାସ୍ତା ଖରାପ ଯୋଗୁଁ ଠିକଣା ଜାଗାରେ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ I ଦୀର୍ଘ ୨କିମି ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ I ଅଧାରାସ୍ତାରେ ଜନ୍ମ ଦେଲେ ଶିଶୁ କନ୍ୟା I କନ୍ଧମାଳ ଜିଲ୍ଲା ଭ୍ରମରବାଡ଼ି ପଞ୍ଚାୟତ ଲଦାଙ୍ଗି ଗାଁର ଘଟିଛି ଏପରି ଘଟଣା I
ଖବର ଅନୁଯାୟୀ, ଲଦାଙ୍ଗି ଗ୍ରାମର ମୃତୁଞ୍ଜୟ ପ୍ରଧାନଙ୍କ ପତ୍ନୀ ବନିତା ପ୍ରଧାନଙ୍କର ଗର୍ଭ ଯନ୍ତ୍ରଣା ହୋଇଥିଲା I ପରିବାର ଲୋକେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି I ଏଥିଲାଗି ମୃତ୍ୟଞ୍ଜୟ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହ ଯୋଗାଯୋଗ କରି ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ I ଏହାପରେ ଆମ୍ବୁଲାନ୍ସ ବନିତାଙ୍କୁ ଆଣିବା ପାଇଁ ଲଦାଙ୍ଗି ଅଭିମୁଖେ ବାହାରିଥିଲା I କିନ୍ତୁ ଲଦାଙ୍ଗି ଗାଁଠାରୁ ୨ କିମି ଦୂର ବଡ଼ାଙ୍ଗପିପିଲି ଠାରୁ ୧୦୮ ଆମ୍ବୁଲାନ୍ସ ଆଉ ଆଗକୁ ଯାଇପାରିନଥିଲା I ଗାଁକୁ ସଂଯୋଗ କରୁଥିବା ରାସ୍ତା କାଦୁଅ ଏବଂ ଅତ୍ୟନ୍ତ କଦର୍ଯ୍ୟ ହୋଇଥିବାରୁ ଗାଡି ଆଗକୁ ବଢିପାରିନଥିଲା I
ଶେଷରେ ଆମ୍ବୁଲାନ୍ସ ଚାଳକ ଶିବରାମ ବଳିଆର ସିଂ ଗାଡ଼ିରୁ ଓହ୍ଲାଇଥିଲେ I ସ୍ୱାମୀ ମୃତ୍ୟୁଞ୍ଜୟ ଓ ଅନ୍ୟ କିଛି ଗାଁର ଲୋକଙ୍କ ସହାୟତାରେ ଗର୍ଭବତୀଙ୍କୁ ଷ୍ଟ୍ରେଚରେ ବୋହି ଆଣିଥିଲେ I ଷ୍ଟ୍ରେଚରରେ ବୋହି ଆଣିବା ସମୟରେ ବନିତା ଯନ୍ତ୍ରଣାରେ ଛଟପଟ ହୋଇ ଅଧାବାଟରେ ଏକ ଶିଶୁ କନ୍ୟା ପ୍ରସବ କରିଥିଲେ I ପ୍ରସବ ପରେ ଉଭୟ ମାଆ ଓ ଝିଅଙ୍କୁ ପୁଣି ଥରେ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଯାଇଥିଲା I ଏହାପରେ ଉଭୟଙ୍କୁ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l