ଗୁମ୍ମା(ନିରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ବୃଷଭ ଗ୍ରାମ ପଞ୍ଚାୟତ ଅଧୀନ କିଞ୍ଜରଡ଼ା ଗ୍ରାମବାସୀ ସମସ୍ତ ମୌଳିକ ସୁବିଧାରୁ ବଂଚିତ । 20 ପରିବାର ତଥା 120ରୁ ଉର୍ଦ୍ଧ ଲୋକ ଥିବା ଏହି ଗାଁକୁ ଯିବାକୁ ନା ଅଛି ଭଲ ରାସ୍ତା ନା ଗାଁରେ ଅଛି ବିଦ୍ୟୁତ୍ ସଂଯୋଗ ନା ଗାଁରେ ମିଳୁଛି ପିଇବା ପାଣି । ଗାଁକୁ ଯିବାକୁ ହେଲେ ଏକ ଛୋଟ ନାଳ ଦେଇ ଯିବାକୁ ହୁଏ । ଦୀର୍ଘ ୫କିମି ମାଟି ଆବଡ ଖାବଡ ରାସ୍ତାରେ ଯିବାକୁ ହୁଏ ଏହି କିଞ୍ଜରଡ଼ା ଗ୍ରାମକୁ । ସତେ ଯେମିତି ମୌଳିକ ସୁବିଧା ଏମାନଙ୍କ ପାଇଁ ସ୍ବପ୍ନ ପରି ମନେ ହୁଏ । ସ୍ବାଧୀନତାର 77 ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ଗ୍ରାମବାସୀମାନେ ସମସ୍ତ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି । ସଂଧ୍ୟା ୫ଟା ରୁ ୬ଟା ମଧ୍ୟରେ ହିଂସ୍ର ଜୀବଜନ୍ତୁ ଭୟରେ ଗାଁର ସମସ୍ତ ଘରେ କବାଟ ବନ୍ଦ ହୋଇଯାଏ । ଗାଁ ରେ ବିଦ୍ୟାଳୟ ନଥିବାରୁ ପିଲାମାନେ ପାଠ ପଢିବା ପାଇଁ ସବୁଦିନ ଯାଇ ପାରନ୍ତି ନାହିଁ । ବିଦ୍ୟୁତ୍ ସଂଯୋଗ ନଥିବାରୁ ସନ୍ଧ୍ୟାରେ ପାଠ ପଢିବା ସମ୍ଭବ ନୁହେଁ । ଗର୍ଭବତୀ ମହିଳା ଓ ଅସୁସ୍ଥ ଲୋକଙ୍କୁ ମେଡ଼ିକାଲ ନେବା ବେଳକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଗାଁକୁ ଆମ୍ବୁଲାନ୍ସ ଗାଡ଼ି ଆସୁନାହିଁ । କିଞ୍ଜରଡ଼ା ଗ୍ରାମ ପାଇଁ ସରକାରଙ୍କ ସମସ୍ତ ଯୋଜନା ଫେଲ୍ ମାରିଛି । ତୁରନ୍ତ ଏହାର ସମାଧାନ ପାଇଁ ୱାର୍ଡ ମେମ୍ବର ଗନେର ରଇତ, ୱାର୍ଡ ମେମ୍ବର ପ୍ରଫୁଲ୍ଲ ରଇତ, ପୂର୍ବତନ ସରପଞ୍ଚ ସାଇମନ୍ ଗମାଙ୍ଗ, ଓବଦୀୟ ରଇତ, ଆଶିଷ ରଇତ, ଦବୋରା ରଇତ, ବଛେବା ରଇତ ଦାବି କରିଛନ୍ତି ।