ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ପରିସରରେ ଶୀତଳ ଭଣ୍ଡାର ଉଦଘାଟିତ….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ପରିସରରେ ବୁଧବାର ୧୦ ମେଟ୍ରିକ୍ ଟନ୍ ବିଶିଷ୍ଟ ଏକ ଶୀତଳ ଭଣ୍ଡାର ଉଦଘାଟିତ ହୋଇଯାଇଛି । ନବନିର୍ମିତ ସୌର ଚାଳିତ ଶୀତଳଭଣ୍ଡାରକୁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗ ଦେଇ ଉଦଘାଟନ କରିଛନ୍ତି । ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ଅନିଲ କୁମାର ସେଠୀ ଓ ସମ୍ମାନୀତ ଅତିଥି ରୂପେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଯୋଗଦେଇ ଥିଲେ । ୨୪ ଲକ୍ଷ ଟଙ୍କା ବିନିମୟରେ ନିର୍ମିତ ଉକ୍ତ ଶୀତଳଭଣ୍ଡାରରେ ସ୍ଥାନୀୟ ବଜାରରେ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ସମେତ ଆଖପାଖ ଅଞ୍ଚଳର କୃଷକ ଉତ୍ପାଦିତ ପନିପରିବା ଓ ଫଳ  ରଖିପାରିବେ । ଏହି ଶୀତଳ ଭଣ୍ଡାରରେ ଫୁଲକୋବି, ଛତୁ, ମୂଳା, ବନ୍ଧାକୋବି, ମକା, ଶାଗ, ପାଳଙ୍ଗ, ବିନ୍, କଲରା, ଲାଉ, ଛୁଇଁ, ବାଇଗଣ, ଲେମ୍ଭୁ, ଭେଣ୍ଡି, ପୋଟଳ, କଖାରୁ, ଜହ୍ନି, ଛଚିନ୍ଦ୍ରା, କାଙ୍କଡ, କନ୍ଦମୂଳ, ବିଲାତି, ଖମ୍ବଆଳୁ ଭଳି ବିଭିନ୍ନ ପନିପରିବା ସମେତ ବିଭିନ୍ନ ପ୍ରକାରର ଫଳ ୭ଦିନରୁ ୭ମାସ ପର୍ଯ୍ୟନ୍ତ ରହିପାରିବ ବୋଲି ଜଣାପଡିଛି । ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ କସ୍ତୁରୀ ସନ୍ୟାସୀ ରାଜୁ  ବିଧାୟକ ଓ ସମ୍ମାନୀୟ ଅତିଥିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଉତ୍ସବରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ, ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ, ଆରଏମସି ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।