ଅବ୍ୟବସ୍ଥା ଘେରରେ ସରକାରି ବାଳିକା ଉଚ୍ଚ ବିଦ୍ୟାଳୟ ଅନ୍ତେବାସି ଛାତ୍ରି, ଫାଟକ ସମୁଖରେ ଅଭିଭାବକ….

ଗୁଣପୁର(ସୁନିଲ୍ କୁମାର ସାବତ): ଆଦିବାସୀ ଅନ୍ତେବାସୀ ହଷ୍ଟେଲରେ ତୀବ୍ର ଅବ୍ୟବସ୍ଥା । ସଠିକ ଖାଇବା ଓ ସ୍ୱାସ୍ଥ୍ୟର ଯତ୍ନ କଥା ଉଠାଇଲେ ହଷ୍ଟେଲରୁ ବିଦା କରିଦିଆଯିବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ଧମକ ଦେଉଥିବା ଅଭିଯୋଗ ହେଉଛି । ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ରହିଛି । ଏହି ବିଭାଗରେ ଜଣେ ଆଦିବାସୀଙ୍କୁ ହିଁ ମନ୍ତ୍ରୀ ଭାବେ ନିଯୁକ୍ତ ଦିଆଯାଏ । ତେବେ ବିଭାଗର ଅପାରଗତା ଓ ଦାୟିତ୍ବ ହୀନତା ତଥା ପ୍ରଶାସନିକ ଉଦାସୀନତା ମନୋଭାବ ଯୋଗୁଁ ଆଦିବାସୀ ଛାତ୍ରଛାତ୍ରୀମାନେ ନାହିଁ ନ ଥିବା ହୀନସ୍ତା ଭୋଗୁଛନ୍ତି । ସବୁବେଳେ ଏହି ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ହଷ୍ଟେଲ ଗୁଡିକରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ୍ ପଗଡ଼ବିଲି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରୁ ଆସିଛି ସେମିତି ଏକ ଅଭାବନୀୟ ଘଟଣା । ଏଠାରେ ପିଲାଙ୍କୁ ଠିକ ଭାବରେ ଖାଦ୍ୟପେୟ ଦିଆଯାଉ ନ ଥିବା ଅଭିଯୋଗ କରିଛନ୍ତି ଛାତ୍ରୀ । ବିଦ୍ୟାଳୟର ଶୌଚାଳୟ ଓ ବିଭିନ୍ନ କକ୍ଷ ଗୁଡ଼ିକ ନିୟମିତ ପରିଷ୍କାର କରାଯାଉ ନାହିଁ । ଏଭଳି କି ସ୍ୱାସ୍ଥ୍ୟ ଖରାପ ହେଲେ ମଧ୍ୟ ପିଲାଙ୍କୁ ଚିକିତ୍ସା କରାଯାଉ ନାହିଁ ଅତ୍ୟଧିକ ଦେହ ଖରାପ ଯାଏଁ ରଖାଯାଇ ଶେଷରେ ବିନା ଚିକିତ୍ସାରେ ଘରକୁ ପଠାଇ ଦିଆ ଯାଉଥିବା ଅଭିଯୋଗ ଆସିଛି l ସରକାରଙ୍କ ପକ୍ଷରୁ ଅମାପ ଅର୍ଥ ଆସୁଥିଲେ ମଧ୍ୟ ନିମ୍ନ ମାନର ଖାଦ୍ୟ ଯୋଗାଉ ଥିବା ଅନ୍ତେବାସୀ ଓ ଅବିଭାବକ ଅଭିଯୋଗ ଆଣିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ ଘଟଣା ହେଉଛି ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ତରଙ୍ଗମୟୀ ମିଶ୍ର ପିଲାଙ୍କ ପ୍ରତି ଜାତିଆଣ ଆକ୍ଷେପ କରି ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଭଳି ସଙ୍ଗୀନ କଥା ଅନ୍ତେବାସୀମାନେ କହୁଥିବା ଦେଖା ଯାଇଛି । ଛାତ୍ରୀମାନେ ଏନେଇ କୌଣସି ଅଭିଯୋଗ କଲେ ବିଦ୍ୟାଳୟରୁ ବାହାର କରିଦେବାକୁ ଧମକ ଦେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ ଜଣକ ବୋଲି ଅଭିଯୋଗ କରିଛନ୍ତି ଅଭିଭାବକମାନେ। ତେବେ ଏନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ଏହାର ସତ୍ୟତା କିଛି ନାହିଁ l ଅଭିଯୋଗ ଭିତ୍ତିହୀନ ପିଲାଙ୍କୁ ଯେମିତି ରଖିବା କଥା ରଖାଯାଇଛି ବୋଲି କହିଛନ୍ତି । ଏହା କେବଳ କିଛି ଚକ୍ରାନ୍ତ କାରୀ ଗୋଷ୍ଠୀ ଓ ଆସାଧୁ ଅବିଭାବକ କୁହନ୍ତି ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଏହି ବିଷୟ ନେଇ ମୋତେ କୌଣସି ପ୍ରକାର ଅଭିଯୋଗ ଦୃଷ୍ଟି ଆକର୍ଷଣ ହୋଇନାହିଁ l ଅଭିଯୋଗ ଆସିଲେ ନିହାତି ଏହାର୍ ତଦନ୍ତ କରିବି ବୋଲି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଗଙ୍ଗାଧର ବେହେରା କହିଛନ୍ତି । ଅପରପକ୍ଷେ ପିଲା ଓ ଅଭିଭାବକମାନେ ଏହି ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଏଠାରୁ ବଦଳି କରାଯାଉ ବୋଲି ପ୍ରତିବାଦ କରିଛନ୍ତି । ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କିଭଳି ପଦକ୍ଷେପ ଗ୍ରହଣ କରାଯିବ ତାହା ଦେଖିବାକୁ ବାକି ରହିଲା ।