ପିଏମ୍ କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ପ୍ରଦାନ

ଭଞ୍ଜନଗର(ନିଲୁ ବିଷୋୟୀ): ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧ ଯୋଜନା ଅଧୀନରେ ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଭଞ୍ଜନଗରଠାରେ ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ବ୍ଳକ କୃଷି କାଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାଯ୍ୟକ୍ରମରେ ଭଞ୍ଜନଗର ବ୍ଳକ ସାଂସଦଙ୍କ ପ୍ରତିନିଧି ରବୀନ୍ଦ୍ର କୁମାର ଗୌଡ଼ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ଳକ କୃଷି ଅଧିକାରୀ ସଂଗ୍ରାମ କୁମାର ସେନାପତି, ସହକାରୀ ଉଦ୍ୟାନ କୃଷି ଅଧିକାରୀ ମାନସ କୁମାର ରଣା, ସହକାରୀ କୃଷି ଯନ୍ତ୍ରୀ ମଦନ ଗୋପାଳ ଜେନା, ସହକାରୀ କୃଷି ଅଧିକାରୀ ସୁମୀ ସାହୁ, ଦେବୀ ପ୍ରସାଦ ଡାକୁଆ ପ୍ରମୁଖ ମଞ୍ଚାସୀନ ଥିଲେ । ଆଭାସି ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାର ୧୮ତମ କିସ୍ତି ମହାରାଷ୍ଟ୍ରର ୱାସିମରୁ ଶୁଭାରମ୍ଭ କରିଥିଲେ । ପିଏମ୍ କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ଅଧୀନରେ ୯ କୋଟି ୪୦ ଲକ୍ଷ ଚାଷୀଙ୍କୁ ୨୦ ହଜାର କୋଟି ଟଙ୍କା ପ୍ରଦାନ କରିଥିବାବେଳେ ଏହାର ସିଧା ପ୍ରସାରଣ କରାଯାଇଥିଲା । ଏହା ପରେ ଅନୁଷ୍ଠିତ ସଭାରେ ସାଂସଦ ପ୍ରତିନିଧି ଶ୍ରୀ ଗୌଡ଼ କୃଷି ଓ କୃଷକର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଏହି ଯୋଜନା ଦ୍ଵାରା ତୃଣମୂଳସ୍ତର ଚାଷୀ ଉପକୃତ ହୋଇ ପାରୁଛନ୍ତି ବୋଲି କହିଥିଲେ । କାଯ୍ୟକ୍ରମରେ ଅଞ୍ଚଳର ବହୁ ଚାଷୀ ଉପସ୍ଥିତ ରହିଥିବା ବେଳେ ବ୍ଳକ କୃଷି ଅଧିକାରୀ ସଂଗ୍ରାମ କୁମାର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।