ମୃତ୍ୟୁ ମୁଖରେ ଶିଶୁକନ୍ୟା, ଜୀବନଦାନ ଦେଲେ ଆଶାକର୍ମୀ ଓ ଗ୍ରାମବାସୀ…

କୋକସରା(ତ୍ରିଲୋକ୍ୟ ବେଶ୍ରା): ଅଲୋଡ଼ା ହୋଇଛି ଶିଶୁକନ୍ୟା l ଜନ୍ମର କିଛି ସମୟ ପରେ ଅଳିଆ ଗଦାରେ ଫିଙ୍ଗିଦେଲେ ଜନ୍ମକଲା ମା ଓ ପରିବାର । ଏଭଳି ନିର୍ଦୟ, କଠୋର ହୃଦୟ ମମତା ବିହୀନ ମା, ବାପା ଓ ପରିବାର କିଏ ଆଉ କେଉଁ ପରିସ୍ଥିତିରେ ଏଭଳି ଅମାନସିକତା କାଣ୍ଡ କରିଛି ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ । କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ଭୁର୍ସିଗୁଡା ଗାଁର ଗୋଟିଏ ଅଳିଆ ଗଦାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ ଗତ ରାତିରେ ଗାଁର କିଛି ଯୁବକ ରାସ୍ତାରେ ବୁଲିବା ପାଇଁ ଆସିଥିଲେ । ଏହି ସମୟରେ ପାଖରେ ଥିବା ଏକ ଖତଗଦାରୁ ଏକ ଛୁଆର ବିକଳ କାନ୍ଦଣା ଶୁଣିବାକୁ ମିଳିଥିଲା । କଣ ହୋଇଛି ବୋଲି ଯୁବକ ମାନେ ମୋବାଇଲ ଟର୍ଚ୍ଚ ମାରି ଯାହା ଦେଖିଲେ ସେଇ ଦୃଶ୍ୟ ହୃଦୟ କୁ ଥରାଇଦେଇଥିଲା। ଜଣେ ଏକ ନବଜନ୍ମିତ ଶିଶୁକନ୍ୟା ଖତଗଦାରେ ଅସୁରକ୍ଷିତ ଭାବେ ପଡିରହି ମରଣ ସହ ଗତି କରୁଥିଲା ।ତୁରନ୍ତ ଗାଁ ର ଆଶା, ଅଙ୍ଗନବାଡ଼ି,ସ୍ଥାନୀୟ ପୋଲିସ, ସାମ୍ବାଦିକ, ସ୍ବେଚ୍ଛାସେବୀଙ୍କୁ ଖବର ଦିଆଯାଇଥିଲା।ପରେ ଶିଶୁକନ୍ୟା ଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ରଣମାଲ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା।ବର୍ତ୍ତମାନ ୧୨ ଶହ ଗ୍ରାମ ଥିବା ଶିଶୁକନ୍ୟା ର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି ବୋଲି ଜଣାପଡ଼ିଛି।ଶିଶୁକନ୍ୟା ଙ୍କୁ ଜିଲ୍ଲା ସିଡବ୍ଲୁସି ଓ ଚାଇଲଡ଼ ପ୍ରୋଟେକ୍ସନ ୟୁନିଟ କୁ ଅବଗତ କରାଯାଇଛି।ଅନ୍ୟପକ୍ଷରେ ଏହା ଅବୈଧ ସଂପର୍କ ନା ଶିଶୁକନ୍ୟା ପାଇଁ ଆଲୋଡ଼ା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।