ଦୁଗ୍ଧ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର କୋଭିଡ ସହାୟତା , ୧ ଲକ୍ଷ ଚାଷୀ ପାଇଲେ ୧୧ କୋଟି ଟଙ୍କାର ସହାୟତା….

ଅନୁସନ୍ଧାନ ଭାରତ(ବ୍ୟୁର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଦୁଗ୍‌ଧ ଚାଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି I ଏହାଦ୍ବାରା ଏକ ଲକ୍ଷ ଦୁଗ୍‌ଧ ଚାଷୀ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇଛନ୍ତି I ସମୁଦାୟ ୧୧ କୋଟି ଟଙ୍କାର ସହାୟତା ଦିଆଯାଇଛି I

ସୂଚନାଯୋଗ୍ୟ ଯେ ଓମ୍‌ଫେଡ ଜରିଆରେ ରାଜ୍ୟର ୩୭୦୦ ଦୁଗ୍ଧ ଉତ୍ପାଦନ ସମବାୟ ସମିତି ଏବଂ ୨.୬୩ ଲକ୍ଷ ଦୁଗ୍ଧ ଚାଷୀ ଏହା ଜରିଆରେ ଦୁଗ୍‌ଧ ଉତ୍ପାଦନ କରୁଛନ୍ତି I ଏଥିରେ ୧୨୯୨ଟି ମହିଳା ସମବାୟ ସମିତି ରହିଛି ଏବଂ ୧ ଲକ୍ଷ ୫ ହଜାର ମହିଳା ଚାଷୀ ମଧ୍ୟ ଦୁଗ୍‌ଧ ଉତ୍ପାଦନରେ ଯୋଗଦାନ ରଖିଛନ୍ତି I

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ପ୍ରଥମେ ଅଲମ୍ପିକ୍‌ରେ ଭାରତର ସଫଳତା ପାଇଁ ଭାରତୀୟ ଟିମ୍‌କୁ ଅଭିନନ୍ଦନ ଜଣାଇ କହିଲେ ଯେ ଭାରତୀୟ ହକୀ ଦଳର ଅନନ୍ୟ ସଫଳତା ପାଇଁ ଆମେ ସମସ୍ତେ ଗର୍ବିତ I

ମୁଖ୍ୟମନ୍ତ୍ରୀ କହିଲେ ଯେ ରାଜ୍ୟ ସରକାର ସବୁବେଳେ ଗରିବ ଲୋକଙ୍କ ସାଥିରେ ଅଛନ୍ତି ଓ ସେମାନଙ୍କ ସ୍ବାର୍ଥର ସୁରକ୍ଷା ପାଇଁ କାମ କରୁଛନ୍ତି I ଗରିବ ଲୋକଙ୍କ ଉପରେ କୋଭିଡ ମହାମାରୀର ପ୍ରଭାବ କମ୍ କରିବା ପାଇଁ ରାଜ୍ୟ ସରକାର ଛୋଟ ଦୋକାନୀ, ଛୋଟ ଚାଷୀ, ମିଶନ ଶକ୍ତିର ମା – ସମସ୍ତଙ୍କ ଆକାଉଣ୍ଟରେ ୨୦୦୦ କୋଟିରୁ ଅଧିକ ଟଙ୍କା ଜମା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ I

ଛୋଟ ଚାଷୀଙ୍କ ରୋଜଗାରରେ ଗୋପାଳନର ଅବଦାନ ବିଷୟ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ସେମାନଙ୍କ ରୋଜଗାର ବଢାଇବା ସହିତ ଗ୍ରାମ ଅର୍ଥନୀତିକୁ ମଧ୍ୟ ଚଳଚଞ୍ଚଳ କରେ I ମା ମାନଙ୍କ ରୋଜଗାର ବଢାଇବା ସହିତ ସାଧାରଣ ଲୋକଙ୍କ ବିଶେଷକରି ପିଲାମାନଙ୍କ ପୁଷ୍ଟି ସାଧନରେ ଦୁଗ୍‌ଧର ବହୁତ ବଡ ଭୂମିକା ରହିଛି ବୋଲି ସେ କହିଥିଲେ I ତେଣୁ ଦୁଗ୍‌ଧ ଉତ୍ପାଦନରେ ଅଭିବୃଦ୍ଧି ଆଣି ରାଜ୍ୟର ପୁଷ୍ଟି ସ୍ତରକୁ (Nutrition Level) ଆହୁରି ଉନ୍ନତି ଆଣିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ I

ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଦୁଗ୍ଧ ଚାଷୀଙ୍କ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରି ରିହାତି ଯୋଗାଇ ଦେଉଛନ୍ତି I ଚାଷୀମାନେ ଏହି ଯୋଜନାର ଉପଯୋଗ କରି ରାଜ୍ୟର ଦୁଗ୍‌ଧ ଉତ୍ପାଦନ ଲକ୍ଷ୍ୟ ପୂରଣରେ ସହଯୋଗ କରିବା ପାଇଁ ସେ ଅନୁରୋଧ କରିଥିଲେ I

csp

ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ ଅରୁଣ ସାହୁ ରାଜ୍ୟରେ ଦୁଗ୍‌ଧ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ I ୫-ଟି ଓ ମୋ ସରକାର ରାଜ୍ୟ ପ୍ରଶାସନର ମୂଳମନ୍ତ୍ର ବୋଲି ପ୍ରକାଶ କରି ସେ କହିଲେ ଯେ ଏହାର ପ୍ରୟୋଗ ଦ୍ବାରା ରାଜ୍ୟ ପ୍ରାଣୀ ସଂପଦ କ୍ଷେତ୍ରରେ ପରିବର୍ତ୍ତନର ଧାରା ଆସିପାରିଛି I ହକିରେ ଭାରତର ବିଜୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ମଧ୍ୟ କୃତଜ୍ଞତା ପ୍ରକାଶ କରି ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଅବଦାନ ଯୋଗୁ ଆଜି ଓଡିଶା ବିଭିନ୍ନ କ୍ଷେତ୍ରରେ ଗୌରବାନ୍ବିତ ହୋଇପାରିଛି I

ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ନବରଂଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ପ୍ରମୁଖ ସେମାନଙ୍କର ବକ୍ତବ୍ୟରେ ଚାଷୀ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରିଥିଲେ I

କାର୍ଯ୍ୟକ୍ରମରେ ବରଗଡ, ନବରଂଗପୁର ଓ କଟକର ୩ ଜଣ ଚାଷୀ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇ ସ୍ବତନ୍ତ୍ର ସହାୟତା ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ I ବରଗଡରୁ ସତ୍ୟବତୀ ସାହୁ, ନବରଂଗପୁରରୁ ଖୋକନ ବିଶ୍ବାସ ଓ କଟକରୁ ବିଜୟଲକ୍ଷ୍ମୀ ସ୍ବାଇଁ ଆଲୋଚନାରେ ଭାଗ ନେଇ କହିଥିଲେ ଯେ ରାଜ୍ୟ ସରକାର ସେମାନଙ୍କ ଦୁଗ୍‌ଧ ଚାଷ ପାଇଁ ଅନେକ ପ୍ରକାର ସହାୟତା ଦେଉଛନ୍ତି I ଗୋଖାଦ୍ୟ, ଔଷଧ, କ୍ୟାଲସିଅମ, ମିନେରେଲ ମିକ୍ସଚର ଆଦି ଅନେକ ସହାୟତା ମିଳୁଛି । ଦୁଗ୍‌ଧ ଚାଷ ଦ୍ବାରା ସେମାନଙ୍କ ଆର୍ଥିକ ଉନ୍ନତି ହେବା ସହିତ ସେମାନେ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ଦେଇପାରିଛନ୍ତି ଏବଂ ଘର ଖଣ୍ଡେ ଖଣ୍ଡେ କରିପାରିଛନ୍ତି ବୋଲି କହିଥିଲେ I

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I

ମତ୍ସ୍ୟ ଓ ପଶୁସଂପଦ ବିଭାଗର ସଚିବ କେ. ରଘୁ ସ୍ବାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ I

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ଆର୍‌.କେ. ଶର୍ମା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ I