ବାଟ ହୁଡୁଛି ଆୟୁଷ୍ମାନ ଆରୋଗ୍ୟ ଶିବିର: ଆସଲେନାହିଁ ବିଶେଷଜ୍ଞ ଡାକ୍ତର, ସ୍ଥାନୀୟ ଡାକ୍ତର ଦେଖିଲେ ରୋଗୀ…..

କୋକସରା(ତ୍ରିଲୋକ୍ୟ ବେଶ୍ରା): ଗତମାସ ଠାରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାର ସମସ୍ତ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ମାସର ଶେଷ ଗୁରୁବାର ଦିନ ଆୟୁଷ୍ମାନ ଆରୋଗ୍ୟ ଶିବିର ଆୟୋଜନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗୁରୁବାର କୋକସରା ସିଏଚସିରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଆଜି ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ତପନ କୁମାର ତ୍ରିପାଠୀ ଯୋଗ ଦେଇ ରୋଗୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ଦେଇଥିଲେ । ହେଲେ ଆଜି ବିଶେଷଜ୍ଞ ଡାକ୍ତର ଆସୁଥିବା ସୂଚନା ପାଇ ଅନେକ ଗର୍ଭବତୀ ମହିଳା ଶିବିରକୁ ଆସିଥିଲେ l ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ଡାକ୍ତର ଆସି ନଥିଲେ କିମ୍ବା ତାଙ୍କୁ ଫୋନ ରେ ଯୋଗାଯୋଗ କରିବା ପାଇଁ ଶିବିର ଆୟୋଜନ ଦାୟିତ୍ୱରେ ଥିବା କର୍ମଚାରୀ ଫୋନ କରିବାରୁ କୌଣସି ପ୍ରତିଉତ୍ତର ମିଳିନଥିଲା । ପରେ ସିଡିଏମଓ କାର୍ଯ୍ୟାଳୟରୁ ଡାକ୍ତର କୌଣସି କାରଣ ବଶତଃ ଯାଇ ପାରିବେ ନାହିଁ ବୋଲି ସୂଚନା ମିଳିବା ସହ କୋକସରା ଭାରପ୍ରାପ୍ତ ଡ଼. ତତ୍ଵଦର୍ଶୀ ଦାସ ଓ ଲଡୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୌମ୍ୟ ଦେହୁରୀଙ୍କୁ ରୋଗୀଙ୍କୁ ପରୀକ୍ଷା କରିବାକୁ କୁହା ଯାଇଥିବା ବେଳେ ଡ଼.ଦାସ ଓ ଡ଼.ଦେହୁରୀ ଶିବିର କୁ ଆସିଥିବା ଗର୍ଭବତୀ ମହିଳାଙ୍କ ପରୀକ୍ଷା କରି ଚିକିତ୍ସା କରିଥିଲେ । ତେବେ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ନ ଆସିବାରୁ ମହିଳା ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଆୟୁଷ୍ମାନ ଆରୋଗ୍ୟ ଶିବିରର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ଦେଖା ଦେଇଛି । ଏନେଇ କୋକସରା ସିଏଚସିର ପିଏଚଇଓଙ୍କ ପ୍ରତିକ୍ରିୟା ନେବାରୁ ବିଶେଷଜ୍ଞ ଡାକ୍ତରଙ୍କ ଅସୁସ୍ଥତା କାରଣରୁ ସେ ଶିବିରରେ ଯୋଗ ଦେଇ ପାରିନଥିବା କହିଛନ୍ତି ।