ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ସୁନ୍ଦରଗଡ଼ ଜିଲ୍ଲାରେ ଉଦଘାଟିତ ହୋଇଯାଇଛି “ବିକାଶ ମେଳା” । କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡ଼ିଶା, ଶ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ତିନି ଦିନିଆ ବିକାଶ ମେଳାର ଶୁଭ ଉଦଘାଟନ କରିଛନ୍ତି ।ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ନିକଟସ୍ଥ ଯତରା ପଡ଼ିଆ ଠାରେ ଆୟୋଜିତ ଏହି ବିକାଶ ମେଳାରେ ବିଭିନ୍ନ ବିଭାଗ ଦ୍ଵାରା ୩୦ ଗୋଟି ଷ୍ଟଲ ସ୍ଥାନିତ ହୋଇଅଛି । ଯେଉଁଥିରେ କି ସେହି ବିଭାଗର ବିଭିନ୍ନ ଉନ୍ନୟନମୂଳକ ଯୋଜନା ଗୁଡିକ ସୂଚନା ଶିକ୍ଷା ସଂଚାର (IEC) ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି ଏବଂ ଅନ୍ୟାନ୍ୟ ଷ୍ଟଲ ମାନଙ୍କରେ ସ୍ଵୟଂ ସହାୟକ ଗୋଷ୍ଠୀ ର ସଭ୍ୟ ମାନଙ୍କ ଦ୍ଵାରା ବିଭିନ୍ନ ସାମଗ୍ରୀ ଆଦିର ପ୍ରଦର୍ଶନୀ ହେବା ସହିତ ବିକ୍ରି ମଧ୍ୟ କରାଯାଉଅଛି ।
ଏହି ଅବସରରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ସମସ୍ତ ଷ୍ଟଲ ଗୁଡ଼ିକ ପରିଦର୍ଶନ କରିଥିଲେ ଏବଂ ବିଭାଗୀୟ ମୁଖ୍ୟ ମାନେ ନିଜ ନିଜ ଷ୍ଟଲ ସମ୍ପର୍କରେ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ସରକାରଙ୍କ ବିଗତ ୧୦୦ ଦିନର ସଫଳତା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ସେହି ଭଳି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଅନ୍ତର୍ଗତ ହିତାଧିକାରୀ ମାନଙ୍କୁ ଦିଆଯାଉଥିବା ସହାୟତା ଗୁଡ଼ିକ ଉପରେ ମଧ୍ୟ ନିଜ ବକ୍ତବ୍ୟ ପ୍ରକାଶ କରିଥିଲେ । ଭାରତ ସ୍ଵାଧୀନତା ସଂଗ୍ରାମରେ ସୁନ୍ଦରଗଡ଼ ଜିଲ୍ଲାର ଅବଦାନ ଉପରେ ମଧ୍ୟ ମାନ୍ୟବର ମନ୍ତ୍ରୀ ଆଲୋକପାତ କରିଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଉପସ୍ଥିତ ସମସ୍ତଙ୍କୁ ସ୍ବଚ୍ଛତା ହିଁ ସେବାର ଶପଥ ପାଠ ମଧ୍ୟ କରାଯାଇଥିଲା । କାର୍ଯ୍ୟକ୍ରମରେ ସରକାରଙ୍କ ବିଗତ ୧୦୦ ଦିନର ସଫଳତା ବିଷୟରେ ଏକ ଡକ୍ୟୁମେଣ୍ଟାରି ମଧ୍ୟ ପ୍ରଦର୍ଶିତ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିଲା। ସୁଭଦ୍ରା ଯୋଜନାରେ ଭିତ୍ରିଆ ପଡ଼ାର ତବସୁମ୍ ବାନୋ, ଲହୁଣୀପଡ଼ାର କନକ ଦେହୁରୀ, ଉଜ୍ବଳପୁରର ଜାନକୀ ରଣାରେ ସହାୟତା ପ୍ରଦାନ କରାଯାଇଥିବା ବେଳେ ସବଡେଗାର ଭାଗବତି ଖଣ୍ଡା, ପ୍ରଭାସିନୀ ଖଣ୍ଡା ଓ ଡଲି ଶେଠ୍ ଏବଂ ସଦର ବ୍ଲକର ଜୟନ୍ତୀ କିଶାନଙ୍କୁ ଏଟିଏମ କମ୍ ଡେବିଟ କାର୍ଡ ପ୍ରଦାନ କରାଯାଇଛି । ସେହିଭଳି ଓରମାସ ଦ୍ଵାରା ସେଣ୍ଟ୍ରାଲ ସେକ୍ଟର ଯୋଜନା ଅନ୍ତର୍ଗତ ବନେଇ ବ୍ଲକର ଆଦିମାତା ମହିଳା ଚାଷୀ ପ୍ରଡ୍ୟୁସର କମ୍ପାନୀ ଏବଂ କୁଆଁରମୁଣ୍ଡା ବ୍ଲକର ଉତ୍କଳ ଜନନୀ ମହିଳା ଚାଷୀ ପ୍ରଡ୍ୟୁସର କମ୍ପାନୀ ସହାୟତା ରାଶି ପ୍ରଦାନ କରାଯାଇଥିଲା । ଜିଲ୍ଲା ପ୍ରାଣୀ ସମ୍ପଦ କାର୍ଯ୍ୟାଳୟ ପକ୍ଷରୁ ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ମାଧ୍ୟମରେ ଆତ୍ମନିଯୁକ୍ତି ପାଇଁ ୧୭୮ ଚାଷୀ ଓ ୩୫ ସ୍ଵଂୟ ସହାୟକ ଗୋଷ୍ଠୀଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିଲା । ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ, ସୁନ୍ଦରଗଡ଼ ଦ୍ଵାରା ବସୁନ୍ଧରା ଯୋଜନା ଅନ୍ତର୍ଗତ ୬ ଜଣ ହିତାଧିକାରୀମାନଙ୍କୁ ୪ ଡିସିମିଲ ଘର ଡିହ ଜମି ପଟ୍ଟା ପ୍ରଦାନ କରାଯାଇଥିଲା ଏବଂ ପ୍ରାକୃତିକ ବିପର୍ଯ୍ୟୟ ଦ୍ଵାରା ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତରଫରୁ ରାଜଗାଙ୍ଗପୁରର ସୁକାନ୍ତ ସାହୁଙ୍କୁ ମଧୁ ବାବୁ ଭିନ୍ନକ୍ଷମ ଭତ୍ତା ଏବଂ ତିଲେଇମୁଣ୍ଡା ର ସୋନାଲି ବାର୍ଲାଙ୍କୁ ମଧୁବାବୁ ବିଧବା ଭତ୍ତା ପ୍ରଦାନ କରାଯାଇଥିଲା । ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ସୁନ୍ଦରଗଡ଼ ଦ୍ଵାରା ଜଙ୍ଗଲ ଅଧିକାର ଅଧିନିୟମ ୨୦୦୬ ଅନ୍ତର୍ଗତ ପଟ୍ଟା ବଣ୍ଟନ କରାଯାଇଥିଲା । ଏଥିରେ ଗମ୍ଭାରଡିହିର ପ୍ରତିମା କିସାନ ଏବଂ ବିମଳା ମୁଣ୍ଡାଙ୍କୁ ପଟ୍ଟା ପ୍ରଦାନ କରାଯାଇଥିଲା । ସେହିଭଳି ପି.ଏମ. ଜନମାନ ଯୋଜନା ଅନ୍ତର୍ଗତ ଲହୁଣୀପଡ଼ା ବ୍ଲକର ରମେଶ ନାୟକ ଏବଂ ଉଲ୍ଲାସୀ ନାୟକ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅନ୍ତର୍ଗତ ସଦର ବ୍ଲକର ହିତାଧିକାରୀ ମିତା ନେଟି, ଯୋଷଦା ନାୟକ, ଗୌରୀ କିଶାନ, ପୁଷ୍ପଲତା କିଶନଙ୍କୁ ଗୃହ ପ୍ରବେଶ ନିମନ୍ତେ ଚାବି ଦିଆଯାଇଥିଲା । ଆଜିର ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଏବଂ ସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନମାନଙ୍କ ଦ୍ଵାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଏବଂ ପାଲା ଦଳ ଦ୍ଵାରା ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ଉପରେ ପାଲା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲା । ଆଜିର ଏହି ଉଦଘାଟନ ଉତ୍ସବ ରେ ମାନ୍ୟବର ବିଧାୟକ, ରଘୁନାଥ ପାଲି ଶ୍ରୀ ଦୁର୍ଗା ଚରଣ ତନ୍ତୀ, ସୁନ୍ଦରଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ, ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ମାଝୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦୁଖବନ୍ଧୁ ନାୟକ ଏବଂ ମାନ୍ୟଗଣ୍ୟ ଅତିଥି ଗଣ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ, ସମସ୍ତ ବ୍ଲକରୁ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ ।
Prev Post