ସୁନ୍ଦରଗଡ଼ ଜିଲ୍ଲାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ……

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ରାଜ୍ୟରେ ଆଜି ସରକାରଙ୍କ ମହିଳା କଲ୍ୟାଣକାରୀ ଯୋଜନା “ସୁଭଦ୍ରା ଯୋଜନା”ର ଶୁଭାରମ୍ଭ ହୋଇଅଛି । ଭୁବନେଶ୍ୱର ସ୍ଥିତ ଜନତା ମଇଦାନ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି।

csp

ଏହି ଅବସରରେ ଆଜି ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ସମସ୍ତ ବ୍ଲକ, ରାଉରକେଲା ମହାନଗର ନିଗମ ଏବଂ ସମସ୍ତ ପୌରାଞ୍ଚଳଗୁଡିକରେ ଏହି ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି  ଅବସର ଉପରୋକ୍ତ ସମସ୍ତ ଅଞ୍ଚଳମାନଙ୍କରେ ବିଶାଳ ମହିଳା ସମାବେଶ ମଧ୍ୟ ହୋଇଥିଲା ଏବଂ ସମସ୍ତେ ରାଜ୍ୟସ୍ତରୀୟ ସୁଭଦ୍ରା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଏଲଇଡି ମାଧ୍ୟମରେ ସିଧା ପ୍ରସାରଣ ଦେଖିଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇ ସମ୍ମାନନୀୟ ଅତିଥିମାନେ ଏବଂ ଅଧିକାରୀମାନେ ସୁଭଦ୍ରା ଯୋଜନା ସଂପର୍କରେ ଆଲୋଚନା କରିଥିଲେ ।

ଏହି ଅବସରରେ ସଦର ବ୍ଲକର କିରେଇ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ ଯୋଗ ଦେଇ ସୁଭଦ୍ରା ଯୋଜନା ଦ୍ବାରା ମହିଳାମାନେ ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ସହିତ ଏହି ଅର୍ଥକୁ ଶିକ୍ଷା, ସ୍ବାସ୍ଥ୍ୟ କିମ୍ବା ଜୀବିକା କ୍ଷେତ୍ରରେ ସୁବିନିଯୋଗ କରିପାରିବେ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସେହିଭଳି ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ କୌଣସି ସମୟ ସୀମା ନାହିଁ ତେଣୁ କୌଣସି ସମୟରେ ମଧ୍ୟ ଯୋଗ୍ୟ ହିତାଧିକାରୀମାନେ ଆବେଦନ କରି ପାରିବେ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟମାନେ ସରକାରଙ୍କ ବିଭିନ୍ନ ଯୋଜନା ଅନ୍ତର୍ଗତ ଆର୍ଥିକ ସହାୟତା ପାଇ କିଭଳି ଭାବେ ନିଜ ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ସହିତ ସେମାନଙ୍କ ସାମାଜିକ ଜୀବନରେ ମଧ୍ୟ କିଭଳି ଭାବେ ପରିବର୍ତ୍ତନ ଘଟିଛି ସେସଂପର୍କରେ ନିଜ ନିଜ ସଫଳତାର କାହାଣୀ ବଖାଣି ଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦୁଃଖବନ୍ଧୁ ନାୟକ, ସଦର ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ମୋତିଲାଲ ସୁଲିଆ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ସଦର ବ୍ଲକର ସମସ୍ତ ଅଧିକାରୀ, ଅଙ୍ଗନୱାଡ଼ି କେନ୍ଦ୍ର, ବ୍ଲକ ସ୍ତରୀୟ ଫେଡେରେଶନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।