ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ସରକାରଙ୍କ ଅଭିନବ ପ୍ରୟାସ ସୁଭଦ୍ରା ଯୋଜନା ଉପରେ ବ୍ୟାପକ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ “ସୁଭଦ୍ରା ପଦଯାତ୍ରା” ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ଆଜି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଆୟୋଜିତ ଜିଲ୍ଲା ସ୍ତରୀୟ ସୁଭଦ୍ରା ପଦଯାତ୍ରା କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ ଶୁଭାରମ୍ଭ କରିଥିଲେ । ପଦଯାତ୍ରାଟି ସୁଭଦ୍ରା ଯୋଜନାର ସଚେତନତା ବାର୍ତ୍ତା ବହନ କରି ଡି. ଆର୍.ଡି. ଏ. ଛକ ଦେଇ ହସ୍ପିଟାଲ ଛକରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ସମାପ୍ତ ହୋଇଥିଲା । ଏହି ପଦ ଯାତ୍ରାରେ ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟ, ସୁଭଦ୍ରା ଯୋଜନାର ହିତାଧିକାରୀ, ଅଙ୍ଗନୱାଡ଼ି କର୍ମୀ, ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ । ପରେ ପରେ ବିକାଶ ଭବନ ଠାରେ ସୁଭଦ୍ରା ଯୋଜନା ଉପରେ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଜନା ସମ୍ପର୍କରେ ସରକାରଙ୍କ କଣ କଣ ସବୁ ନିୟମ ରହିଛି ତାହା ଉପରେ ଆଲୋଚନା କରାଯାଇଥିଲା । ଯେପରିକି, ଯୋଜନାରେ କେଉଁମାନେ ଅନ୍ତର୍ଭୁକ୍ତ ହୋଇପାରିବେ, କେଉଁ ବୟସର ମହିଳାମାନେ ଅନ୍ତର୍ଭୁକ୍ତ ହୋଇପାରିବେ, ଯୋଜନା ଅନ୍ତର୍ଗତ ମିଳିବାକୁ ଥିବା ସହାୟତା ରାଶି ଏବଂ ବର୍ଷକୁ ଏହାର କେତେ କିସ୍ତି ରହିଛି ଏବଂ କେବେ ପ୍ରାପ୍ତ ହେବ ଇତ୍ୟାଦି ବିଷୟରେ ସବିଶେଷ ଆଲୋଚନା ହୋଇଥିଲା । ଏହା ସହ ହିତାଧିକାରୀମାନେ ମଧ୍ୟ ଯୋଜନା ସମ୍ପର୍କିତ ନିଜ ନିଜ ସନ୍ଦେହ ଉପସ୍ଥାପନ କରିଥିଲେ ଏବଂ ଉପସ୍ଥିତ ଅଧିକାରୀ ମାନେ ତାହାର ଉତ୍ତର ରଖିଥିଲେ । ଏଥି ସହିତ ଏକ ଦସ୍ତଖତ ଅଭିଯାନ ମଧ୍ୟ ଆୟୋଜିତ ହୋଇଥିଲା । ଏହି ଅବସର ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦୁଃଖବନ୍ଧୁ ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କ୍ରୀଷ୍ଣା କୁମାରୀ ନନ୍ଦ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ରୀ ସାମୁଏଲ ଟପ୍ପୋ, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ରୀ ବସନ୍ତ ମଲ୍ଲିକ, ଚିନ୍ମୟ ସରାଫ, ମିନାକ୍ଷୀ ପ୍ରଧାନ, ସୁଶୀଳା ରଥ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।