ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗୃହମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (ଆଇ ଫୋର ସି )ର ପ୍ରଥମ ବାର୍ଷିକ ସ୍ଥାପନା ମହୋତ୍ସବରେ ଯୋଗ ଦେଇ ସାଇବର କମାଣ୍ଡୋ ବିଂଗର ଲୋଗୋ ଉନ୍ମୋଚନ କରିଛନ୍ତି l ଏହି ଅବସରରେ ଦେଶର ସମସ୍ତ ରାଜ୍ୟ, କେନ୍ଦ୍ର ଶାସିତ ତଥା ଅର୍ଦ୍ଧ ସାମରିକ ପୁଲିସ ବଳ ମଧ୍ୟରୁ ଲିଖିତ ପରୀକ୍ଷା ମାଧ୍ୟମରେ ଯୋଗ୍ୟ ବିବେଚିତ 346 ସାଇବର କମାଣ୍ଡୋ ଯୋଗ ଦେଇଥିଲେ l
ସେଥି ମଧ୍ୟରୁ ଓଡିଶାରୁ 7 ଜଣ ପୁଲିସ ଅଫିସର ଏଥିପାଇଁ ଯୋଗ୍ୟ ବିବେଚିତ ହୋଇ ଥିବାବେଳେ ଗଜପତି ଜିଲ୍ଲା ରା.ଉଦୟଗିରି ଗ୍ରାମର ପ୍ରଶାନ୍ତ କୁମାର ପରିଚ୍ଛା ଯେକି ବର୍ତମାନ ASI ଭାବେ କ୍ରାଇମ ବ୍ରାଞ୍ଚ ସାଇବର ବିଂଗରେ କାର୍ଯ୍ୟରତ ସେ ମଧ୍ୟ ସାଇବର କମାଣ୍ଡୋ ଭାବେ ଯୋଗ୍ୟ ହୋଇ ଜିଲ୍ଲା ତଥା ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି l ଏମାନେ ସମସ୍ତେ ଏହି ମାସ ଶେଷ ସପ୍ତାହରେ ଗୃହ ବିଭାଗ ଦ୍ୱାରା ମନୋନୀତ ପ୍ରତିଷ୍ଠିତ ତାଲିମ କେନ୍ଦ୍ର ଯଥା ରାଷ୍ଟ୍ରୀୟ ରକ୍ଷା ୟୁନିଭେର୍ସିଟି, ନାସନାଲ ଫୋରେନସିକ ସାଇନ୍ସ ୟୁନିଭେର୍ସିଟି, ଆଇଆଇଟି ଓ ଆଇଆଇଆଇଟି ମାନଙ୍କରେ ଛଅ ମାସ ପ୍ରଶିକ୍ଷଣ ନେବେ l ଦେଶର ସାଇବର ସୁରକ୍ଷା କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ l ସାଇବର ଆକ୍ରମଣକୁ ରୋକିବା ତଥା କ୍ରିଟିକାଲ ଇନ୍ଫରାଷ୍ଟ୍ରକଚର ର ସୁରକ୍ଷା କରିବା ଏମାନଙ୍କ ପ୍ରମୁଖ କାର୍ଯ୍ୟ ହେବ l ଏହା ସାଇବର କମାଣ୍ଡୋର ପ୍ରଥମ ବ୍ୟାଚ l ଦେଶର ସାଇବର ସୁରକ୍ଷା ପାଇଁ ପାଞ୍ଚ ବର୍ଷରେ ସର୍ବ ମୋଟ 5000 ସାଇବର କମାଣ୍ଡୋ ବିଂଗ ପାଇଁ ପୁଲିସ କର୍ମଚାରୀଙ୍କ ଚୟନ କରାଯିବ ବୋଲି ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି l ବାସ୍ତବରେ ଏହା ଭାରତ ସରକାରଙ୍କ ସାଇବର ସୁରକ୍ଷା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ l ଏହା କାର୍ଯ୍ୟକାରୀ ହେଲେ ଆମ ଦେଶ ଅନ୍ୟ ଦେଶ ଯଥା ଚୀନ, ଆମେରିକା, ରୁଷିଆ, ଇଜରାଇଲ ଭଳି ସାଇବର ସୁରକ୍ଷା କ୍ଷେତ୍ରରେ ଦକ୍ଷ ହୋଇପାରିବ l