ସୁଭଦ୍ରା ଯୋଜନା ଆବେଦନ ପାଇଁ ଜନସେବା କେନ୍ଦ୍ରରେ ଅସମ୍ଭାଳ ଭିଡ, ନିରାଶ ହୋଇ ଫେରୁଛନ୍ତି ଲୋକେ….

ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ବର୍ତ୍ତମାନ ସାରା ରାଜ୍ୟରେ ପ୍ରାୟ ସବୁ ଜନସେବା କେନ୍ଦ୍ରରେ ଅସମ୍ଭାଳ ଭିଡ ଦେଖିବାକୁ ମିଳୁଛି । ଗଜପତି ଜିଲ୍ଲାରେ ମଧ୍ୟ ସୁଭଦ୍ରା ଯୋଜନା ଆବେଦନ ଲାଗି ରାସନ୍ କାର୍ଡର ଇ-କେଓ୍ବାସି, ଆଧାର ସଂଯୋଗୀକରଣ, ମୋବାଇଲ୍ ନମ୍ବର ସଂଯୋଗୀକରଣ ପ୍ରକ୍ରିୟା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ପ୍ରଥମେ ଉପରୋକ୍ତ  ଡକ୍ୟୁମେଣ୍ଟ ଗୁଡିକର ଆବଶ୍ୟକତା ବୋଲି ଦୌଡାଦୌଡି ପୁଣି ଏବେ ସର୍ଭର ଡାଉନ୍ ଲାଗି ଗୋଟେ ଜନସେବା କେନ୍ଦ୍ରରୁ ଅନ୍ୟ ଏକ ଜନସେବା କେନ୍ଦ୍ରରେ ଧାଡିଧାଡି । ଜିଲ୍ଲାର କେତେକ ଉପାନ୍ତ ଅଞ୍ଚଳ ଯଥା ମୋହନା, ନୂଆଗଡ ଓ ରା.ଉଦୟଗିରି ଅଞ୍ଚଳରେ ନେଟଓ୍ବାର୍କ ସେବା ଠିକ୍ ଭାବେ କାର୍ଯ୍ୟକାରିତା ହେଉନଥିବା ବେଳେ କୌଣସି ଜନସେବା କେନ୍ଦ୍ର ମଧ୍ୟ ଖାଲି ନାହିଁ । ତା ସହିତ ଲଗାଣ ବର୍ଷା ସାଙ୍ଗକୁ  ସର୍ଭର୍ ମନ୍ଥର ହେଉଥିବାରୁ ଲୋକେ ବିରକ୍ତ ହୋଇଗଲେଣି । ସକାଳୁ ଘରୁ ବାହାରି ନିଜନିଜର ଘରକାମ ଓ କୁଲି ମଜୁରୀ କାମ ଛାଡି ଛୋଟ ଛୁଆଙ୍କୁ କାଖେଇ, ଜନସେବା କେନ୍ଦ୍ରକୁ ଯାଇ ଧାଡିବାନ୍ଧି ଠିଆ ହୋଇ ସନ୍ଧ୍ୟା ବେଳକୁ ନିରାଶ ହୋଇ ଘରକୁ ଫେରିଥାନ୍ତି । ପୁଣି ପରଦିନ ସେଇ ଏକା ଅବସ୍ଥା ଓ ସେହି ଏକା ନେଟଓ୍ବାର୍କ ଅସୁବିଧା । କେତେ ଦିନ ଏଦୁଃଖ ସହିବାକୁ ପଡିବ ଜାଣି ହେଉନି ବୋଲି ଉପଭୋକ୍ତା କହିଛନ୍ତି । ସେଥିଲାଗି କିଛି ମହିଳା  ବିରକ୍ତ ହେବା ସହ ସରକାରଙ୍କୁ ନିବେଦନ କରିଛନ୍ତି ଯେ, ଏପରି ବିପର୍ଯ୍ୟସ୍ତ ନେଟଓ୍ବାର୍କ ସେବା ଅଞ୍ଚଳରେ ଯେମିତି ଅଙ୍ଗନଓ୍ବାଡି ଦିଦି ମାଧ୍ୟମରେ ଫର୍ମ ଦେଉଛନ୍ତି, ସେମିତି ଫର୍ମ ଯଦି ସେହି ଦିଦିଙ୍କ ଜରିଆରେ ବ୍ଲକରେ ପହଞ୍ଚାଇ ଦିଆଯାଅନ୍ତା ତେବେ ଲୋକେ ଏଭଳି ଅସୁବିଧାର ସମ୍ମୁଖୀନ ଭୋଗିବାକୁ ପଡନ୍ତା ନାହିଁ ବୋଲି ଅଭିଯୋଗ କରିଛନ୍ତି । ଏସବୁ ଦେଖିଲାପରେ ଆଗରୁ ଯୋଜନା ସଂକ୍ରାନ୍ତୀୟ ନିୟମାବଳୀ ନ ଦେଇ ତରବରିଆ ଆବେଦନ ତାରିଖ ଘୋଷଣା କରି ସରକାର ଲୋକଙ୍କୁ ମାନସିକ ନିର୍ଯ୍ୟାତନା ଦେଉଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଆରମ୍ଭ ହେଲାଣି । ସେହିପରି ବିରୋଧୀ ଦଳଗୁଡିକ ପକ୍ଷରୁ ଭିତ୍ତିଭୂମି ନ ସଜାଡି ତରବରିଆ ଭାବେ ମନମୁଖୀ ନିଷ୍ପତ୍ତି ଦ୍ବାରା ସରକାର ଲୋକଙ୍କୁ ହଇରାଣ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଉପଭୋକ୍ତା ।