ସୁନ୍ଦରଗଡ଼ ଠାରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ…

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ସୁନ୍ଦରଗଡ଼ ଠାରେ ଜିଲ୍ଲା ସ୍ତରୀୟ ଗୁରୁଦିବସ ତଥା ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଜନ୍ମ ବାର୍ଷିକୀ ପାଳନ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ନିକଟସ୍ଥ ପଡ଼ିଆ ଠାରେ ଆୟୋଜିତ ଏହି ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ଉପାଧ୍ୟକ୍ଷ ଶ୍ରୀ କମଲ ଲାକ୍ରା, ସୁନ୍ଦରଗଡ଼ ମ୍ୟୁନିସିପାଲିଟିର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ ପଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପବିତ୍ର ମୋହନ ପ୍ରଧାନ, ଡ଼ାଏଟର ଅଧ୍ୟକ୍ଷା ଶ୍ରୀମତୀ ଲିପିକା ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ମହାଜନ ନିଜ ଗୁରୁ ଦିବସ ଉପଲକ୍ଷେ ନିଜର ଗୁରୁଙ୍କ ସ୍ମୃତି ଚାରଣ କରିଥିଲେ ଏବଂ ବିଦ୍ୟାଳୟରେ ପାଠ ପଢ଼ିବା ସମୟର ଅନୁଭୂତିକୁ ଛାତ୍ରଛାତ୍ରୀ ମାନଂକ ଆଗରେ ବଖାଣି ଥିଲେ । ସେହିପରି ସେ ଛାତ୍ରଛାତ୍ରୀମାନଙ୍କୁ ନିଜର ଜୀବନର ଲକ୍ଷ ଧାର୍ଯ୍ୟ କରିବା ସହିତ ସେହି ମହତ୍ ଲକ୍ଷକୁ ପୂରଣ କରିବା ନିମନ୍ତେ ବଦ୍ଧ ପରିକର ହେବାକୁ ପରାମର୍ଶ ଦେଇଥିଲେ ଏବଂ ସେଥି ନିମନ୍ତେ ପ୍ରତ୍ୟେକ ବାଧା ବିଘ୍ନକୁ ଏଡ଼ାଇ ଦେଇ ଆଗଭର ହେବାକୁ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ସ୍ତରୀୟ ଗୁରୁ ଦିବସ କାର୍ଯ୍ୟକ୍ରମର ସିଧା ପ୍ରସାରଣ ମଧ୍ୟ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଚଳିତ ମାଟ୍ରିକ ପରୀକ୍ଷାରେ ଉତ୍କୃଷ୍ଟ ରେଜଲ୍ଟ କରିଥିବା ୩ ଗୋଟି ବିଦ୍ୟାଳୟ ଯଥା – ସରକାରୀ ଉଚ୍ଚ ବିଦ୍ୟାଳୟ, ଉଦିତ ନଗର, ସରକାରୀ ଉଚ୍ଚ ବିଦ୍ୟାଳୟ, କୁତ୍ରା ଏବଂ ତରକେରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ନିଜ ଶିକ୍ଷକତା ସମୟ ରେ ଉତ୍କର୍ଷତା ପ୍ରଦର୍ଶନ କରିଥିବା ୨୭ ଜଣ ପ୍ରାକ୍ତନ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିଭଳି ଜିଲ୍ଲା ସ୍ତରୀୟ ମେଧା ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୧୩୩ ଜଣ ଛାତ୍ରଛାତ୍ରୀ, ବ୍ଲକ ସ୍ତରୀୟ ମେଧା ବୃତ୍ତିରେ ଉତ୍ତୀର୍ଣ୍ଣ ହୋଇଥିବା ୧୭୧୮ ଜଣ ଛାତ୍ରଛାତ୍ରୀ ଏବଂ ଓଡ଼ିଆ ଭାଷା ବୃତ୍ତିରେ ଉତ୍ତୀର୍ଣ୍ଣ ହୋଇଥିବା ୯୦ ଜଣ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।