କବିସୂର୍ଯ୍ୟନଗର ବ୍ଲକ ଆଠଗଡ ପାଟଣା ସ୍ଥିତ ଗୌଡ଼ସାହି ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୨୧ ପିଲା ଅସୁସ୍ଥ, ୯ ଗୁରୁତର..
ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଆଠଗଡ ପାଟଣାସ୍ଥିତ ଗୌଡ଼ସାହି ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଯାହା ସୂଚନା ରହିଛି ୩୧ ତାରିଖ ଦିନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ୨୧ ଜଣ ପିଲା ହଠାତ ଅସୁସ୍ଥ ହୋଇପଡ଼ିଥିଲେ l ସେମାନଙ୍କୁ କବିସୂର୍ଯ୍ୟନଗର ଓ ଆଉ କେତେ ଜଣଙ୍କୁ ଆସିକା ଡାକ୍ତରଖାନାରେ ଭର୍ତି କରାଯାଇ ଚିକିତ୍ସା କରାଯାଇଥିବା ବେଳେ ଗୁରୁତର ଥିବା ୫ ଜଣଙ୍କୁ ବ୍ରହ୍ମପୁର ପଠାଯାଇ ଚିକିତ୍ସା ଚାଲି ଥିବା ସୂଚନା ମିଳିଛି l ଘଟଣା ସମ୍ପର୍କରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭଗବାନ ସେଠି କବିସୂର୍ଯ୍ୟନଗର ବିଇଓଙ୍କୁ ଲିଖିତ ଜଣାଇଵା ପରେ ଘଟଣାର ତଦନ୍ତ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଜଣାଯାଇଥିଲା l କିନ୍ତୁ ଘଟଣାର ୩ ଦିନ ପରେ ମଧ୍ୟ କୌଣସି ଅଧିକାରୀ ବିଦ୍ୟାଳୟ କିମ୍ବା ଗାଁରେ ପହଞ୍ଚିନଥିବା ଅଭିଯୋଗ ହୋଇଛି l କେଉଁ କାରଣରୁ ଏଭଳି ଘଟଣା ହେଲା କେହିଜାଣି ପାରୁନଥିବା ବେଳେ କିଏ କହୁଛି ଫାଲେରିଆ ଟାବଲେଟ ଖାଇଵା ପରେ ତ ଆଉ କିଏ କହୁଛି ବିଦ୍ୟାଳୟରେ ଖାଦ୍ୟ ଖାଇବା ପରେ ପିଲାମାନେ ଅସୁସ୍ଥ ହେବା ଅଭିଯୋଗ କରିଛନ୍ତି ଅଭିଭାବକ l ଆଜି କବିସୂର୍ଯ୍ୟନଗର ବିଇଓ ବିଦ୍ୟାଳୟରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି l ଅନ୍ୟ ପକ୍ଷରେ କୁହା ଯାଉଛି ଯେ ୨୧ ପିଲା ଅସୁସ୍ଥ ହେବା ପରେ ମଧ୍ୟ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନୀରବତା ସାଙ୍ଗକୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଅଖି ବୁଜିଦେଇଥିବା ଘଟଣାକୁ ନେଇ ସାଧାରଣରେ ତୀବ୍ର ଅଶାନ୍ତି ପ୍ରକାଶ ପାଇଛି l ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କଲେ ସତ୍ୟାସତ୍ୟ ଜଣାପଡିବ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି l କିନ୍ତୁ ଏତେ ବଡ଼ ଘଟଣା ପରେ ଜିଲ୍ଲା ଅଧିକାରୀଙ୍କ ଦାୟିତ୍ୱ ହୀନତା କାମକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ପିଲାଙ୍କ ଜୀବନ ସହ ସରକାର ଖେଳୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅଭିଭାବକ l ଏହି ଘଟଣାକୁ ନେଇ କିଏ କରିବ ତଦନ୍ତ ? ଭୁଲ କାହାର? ଜିଲ୍ଲା ଶିକ୍ଷା ବିଭାଗ ନୀରବ କାହିଁକି ବୋଲି ଅଞ୍ଚଳର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ଅଞ୍ଚଳ ବାସୀଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି l