କାନ୍ଥ ପଡି ଚାଲିଗଲା ଶିଶୁପୁତ୍ରର ଜୀବନ, ୨ମାସ ତଳେ ଘର୍ ଭାଙ୍ଗିଥିଲା ହାତୀ…

ଭଞ୍ଜନଗର(ନିଲୁ ବିଷୋୟୀ): କଛା ଘରର ମାଟିକାନ୍ଥ ପଡ଼ି ଚାଲିଗଲା ଅଢେଇ ବର୍ଷର ଶିଶୁ ପୁତ୍ରର ଜୀବନ । ବାପାମାଆ ମଧ୍ୟ ଏଥିରେ ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଉପାନ୍ତ ବାଇବାଲି ଗ୍ରାମର ତୋଟା ସାହିରେବ । ମୃତ ଶିଶୁ ପୁତ୍ର ହେଲେ ଋ଼ଷି ପ୍ରଧାନ (୨) । ଏଥିରେ ଋଷିଙ୍କ ବାପା ବସନ୍ତ ଏବଂ ମା’ ଆହତ ହୋଇଛନ୍ତି । ଉଭୟ ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ଭଞ୍ଜନଗର ପୁଲିସ, ରାଜସ୍ବ ଏବଂ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି । ଏହିଭଳି ଘଟଣାକୁ ନେଇ ସଂମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣାରୁ ପ୍ରକାଶ ଯେ, ଦୁଇମାସ ପୂର୍ବେ ବସନ୍ତଙ୍କ ଘରକୁ ହାତୀପଲ ଆସି ଭାଙ୍ଗିଦେଇଥିଲେ । ଏନେଇ ବସନ୍ତ ବନ ବିଭାଗକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । କିନ୍ତୁ ବନ ବିଭାଗ ପକ୍ଷରୁ ବସନ୍ତଙ୍କୁ କୌଣସି ସହାୟତା ପ୍ରଦାନ ପାଇଁ ପଦକ୍ଷେପ ନେଇ ନ ଥିଲେ । ବସନ୍ତ ଗରିବ ଶ୍ରେଣୀର ହୋଇଥିବା ଯୋଗୁ ଘରକୁ ମରାମତି ନକରି ଭଙ୍ଗା ଘରେ ହିଁ ରହୁଥିଲେ । ଏହିଭଳି ପରିସ୍ଥିତିରେ ବିଗତ କିଛି ଦିନ ହେବ ସଂମ୍ପୃକ୍ତ ଅଞ୍ଚଳରେ ଝିପିଝିପି ବର୍ଷା ଯୋଗୁ କାନ୍ଥ ଭିଜି ଥିଲା । ଶନିବାର ରାତିରେ ଘରର ସମସ୍ତ ସଦସ୍ୟ ଶୋଇଥିବା ବେଳେ କାନ୍ଥ ଭୁଶୁଡ଼ି ସେମାନଙ୍କ ଉପରେ ପଡିଥିଲା। ପରେ ସେମାନଙ୍କର ଚିତ୍କାର ପଡ଼ୋଶୀ ଉଠି ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ଆଣିଥିଲେ । ରବିବାର ସକାଳେ ଡାକ୍ତର ପୁଅଙ୍କୁ ମୃତ ଘୋଷଣା କରିଥିଲେ । ବାପା, ମାଆ ମେଡ଼ିକାଲରେ ଚିକିତ୍ସିତ ହୋଇଛନ୍ତି । ଏହି ଘଟଣାକୁ ନେଇ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଗଭୀର ଶୋକ ପ୍ରକାଶ କରିବା ସହ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ମେଡିକାଲ କତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ରାଜସ୍ବ ଏବଂ ବନ ବିଭାଗ ଅଧିକାରୀଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଛନ୍ତି । ପୁଲିସ ମୃତ ଦେହ ଜବତ କରି କେସ ନଂ ୩୫/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପରେ ଶବ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।