ଜାତୀୟ ରାଜପଥରେ ଠିକାସଂସ୍ଥାର ମାନମାନି, ରାସ୍ତାରେ ଚିପସ ଗଦା ଯୋଗୁଁ ଦୁର୍ଘଟଣାକୁ ଆମନ୍ତ୍ରଣ…

କୋକସରା(ତ୍ରିଲୋକ୍ୟ ବେଶ୍ରା):ଜାତୀୟ ରାଜପଥ ୨୬ କାଉଡୋଳାରୁ ମହାଜନଗୁଡା ରାସ୍ତା ବାଞ୍ଜି ବାହାଲକୁ ସଂଯୋଗ କରୁଥିବା ରାସ୍ତା ନିକଟରେ କୌଣସି ଏକ ଠିକାସଂସ୍ଥା ପକ୍ଷରୁ ଜାତୀୟ ରାଜପଥ ଉପରେ ଚିପ୍ସ ଗଦା କରି ରଖିଥିବା କାରଣରୁ ଜାତୀୟ ରାଜପଥ ଦେଇ ଯାଉଥିବା ଗାଡି ମୋଟର ଦୁର୍ଘଟଣା ଘଟିବା ନେଇ ଆଶଙ୍କା ଦେଖାଦେଇଛି। ସୂଚନା ଅନୁସାରେ ଜାତୀୟ ରାଜପଥ ୨୬ ମହାଜନ ଗୁଡା ଛକ ଠାରୁ ବାଞ୍ଜି ବାହାଲକୁ ସଂଯୋଗ କରୁଥିବା ରାସ୍ତାରେ ଥିବା ମୁଟ୍ରା ନଦୀରେ ପୋଲ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଏହି ରାସ୍ତାରେ କାଦୁଅ ହୋଇ ଥିବା କାରଣରୁ ଠିକାସଂସ୍ଥା ରାସ୍ତା ଉପରେ ଚିପ୍ସ ଗଦା କରି ରଖିଛନ୍ତି । ଏହି ଜାତୀୟ ରାଜପଥ ୨୬ ଏକ ବ୍ୟସ୍ତ ବହୁଳ ରାସ୍ତା ହୋଇଥିବା ବେଳେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଗାଡି ମୋଟର ଯାତାୟାତ କରିଥାଏ । ତେବେ ରାସ୍ତା ଉପରେ ଚିପ୍ସ ଗଦା ହୋଇ ଥିବାରୁ ଯାତାୟାତରେ ଅସୁବିଧା ହେଉଥିବା ସହ କିଛି ବାଇକ ଚାଳକ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଜାତୀୟ ରାଜପଥକୁ ଅବରୋଧ କରିବା ଦଣ୍ଡନୀୟ ହୋଇଥିବା ବେଳେ ଜାତୀୟ ରାଜପଥ ବିଭାଗ ଏଦିଗରେ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।