ନୂଆପଡା ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆମାନଙ୍କ ସର୍ବାଙ୍ଗୀନ ଉନ୍ନତି ହେବ…

ନୂଆପଡା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ, ଜନମନ ଯୋଜନାରେ ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ଆଦିବାସୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନ ସଂକଳ୍ପବଦ୍ଧ ବୋଲି ଜିଲ୍ଲାପାଳ ମଧୁସୂଦନ ଦାଶ ପ୍ରକାଶ କରିଛନ୍ତି l ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ସୂଚନା ଦେଇ କହିଲେ ଯେ ଏହି ଜିଲ୍ଲାର ସୁନାବେଡା ଅଂଚଳରେ ଚକୋଟିଆ ଭୁଞ୍ଜିଆ ଜନଜାତିର ଆଦିବାସୀମାନେ କେଉଁ କାଳରୁ ବସବାସ କରୁଛନ୍ତି l ନୂଆପଡା ଓ କୋମନା ବ୍ଳକର 35ଟି ବସତିରେ ମୋଟ 1268ଟି ପରିବାରର 5062 ଜଣ ସଦସ୍ୟ ଅଛନ୍ତି l ଏମାନଙ୍କ ମଧ୍ୟରୁ ଅନେକ ସମାଜର ମୁଖ୍ୟ ସ୍ରୋତରେ ଏଯାଏଁ ସାମିଲ ହୋଇନାହାନ୍ତି l ଏହି ଯୋଜନାରେ ସରକାରଙ୍କ ଦ୍ୱାରା ବିଭିନ୍ନ ବିଭାଗ ତରଫରୁ ଉପଲବ୍ଧ ସୁବିଧା ସୁଯୋଗ ସମସ୍ତ ପରିବାର ତଥା ସଦସ୍ୟଙ୍କ ପାଖରେ ପହଞ୍ଚାଇବା ଏହି ଯୋଜନାର ମୂଳ ଲକ୍ଷ୍ୟ l ଏହି ସବୁ ଜନ କଲ୍ୟାଣକାରୀ ଯୋଜନାରୁ ଏମାନଙ୍କ ମଧ୍ୟରୁ ଜଦି କୌଣସି ବ୍ୟକ୍ତି ବଞ୍ଚିତ ଅଛନ୍ତି, ତାହେଲେ ଏଇ ସୁବିଧା ସବୁ ସେମାନଙ୍କ ଦ୍ୱାର ଦେଶରେ ପହଞ୍ଚାଇ ଦିଆଯିବ l ସରକାରଙ୍କ ବିଭିନ୍ନ ବିଭାଗ ଏଥିପାଇଁ ଅତିଶୀଘ୍ର ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିବେ l ଅଗଷ୍ଟ 23 ରୁ ସେପ୍ଟେମ୍ବର 10 ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସମ୍ପୃକ୍ତ ଅଂଚଳରେ ପ୍ରଚାର ପ୍ରସାର ଅଭିଯାନ ଚାଲିବ l ଜନଜାତି ବସତି ମାନଙ୍କରେ ଶିବିର ମାଧ୍ୟମରେ ହିତାଧିକାରୀମାନଙ୍କୁ ଆଧାର କାର୍ଡ, ଖାଉଟି କାର୍ଡ, ଜନଧନ ଆକାଉଣ୍ଟ, ବିଭିନ୍ନ ପ୍ରମାଣ ପତ୍ର ଯୋଗାଇ ଦିଆଯିବ l ସିକିଲ ସେଲ, ରକ୍ତ ହୀନତା ତଥା ବିଭିନ୍ନ ରୋଗ ନିରାକାରଣ ପାଇଁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l  ଏଠାକାର ମହିଳା ସ୍ୱୟଂ ସହାୟକ ଦଳ ମାନଙ୍କୁ ସଶକ୍ତିକରଣ କରି ସେମାନଙ୍କ ଜୀବନ ଜୀବିକା ସୁଧାର ପାଇଁ ବିଭିନ୍ନ ସହାୟତା ଯୋଗାଇ ଦିଆଯିବ l ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତ ପରିବାରକୁ ପକ୍କା ଘର ଯୋଗାଇଦିଆଯିବ l ସମସ୍ତ ଯୋଜନାର ଦ୍ରୁତ କାର୍ଯ୍ୟାନ୍ୱୟନ ପାଇଁ  ଜିଲ୍ଲାସ୍ତରରେ ଜିଲ୍ଲାପାଳ ଏବଂ ବ୍ଲକରେ ବିଡ଼ିଓ ମାନେ ନୋଡାଲ ଅଫିସର ଦାୟିତ୍ୱରେ ରହିବେ l ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥା ବିଭିନ୍ନ ଲାଇନ ବିଭାଗମାନଙ୍କ ସହାୟତରେ ସେମାନଙ୍କ ଦ୍ରୁତ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେବେ l ଏହି ମହତ କାମର ପ୍ରଚାର ପ୍ରସାରରେ ସହାୟତା କରିବା ପାଇଁ ଜିଲ୍ଲାପାଳ ଜିଲ୍ଳାର ସମସ୍ତ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ସ ମିଡ଼ିଆର ପ୍ରତିନିଧି ମାନଙ୍କୁ ଅନୁରୋଧ କରିଛନ୍ତି l ଆଜିର ଏହି ସଭାରେ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ମଙ୍ଗଳ ଅଧିକାରୀ ଦିପ୍ତିମନ୍ତ ଭୋଇ, ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ l