କୋକସରା(ତ୍ରିଲୋକ୍ୟ ବେଶ୍ରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତର ଲଡୁଗାଁ ହେଉଛି ଏକ ବ୍ୟବସାୟିକ ପେଣ୍ଠସ୍ଥଳି । ଲଡୁଗାଁରେ ଅନେକ ଶିଳ୍ପାନୁଷ୍ଠାନ, କଳ କାରଖାନା ଦୋକାନ ବଜାର ରହିଛି l ତେଣୁ ଲଡୁଗାଁ ସହର ମଧ୍ୟକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ସମେତ ଅନ୍ୟ ରାସ୍ତା ଦୁଇ କଡ଼ରେ ବ୍ୟବସାୟିକ ପ୍ରତିଷ୍ଠାନ ସହ ବଡ଼ ବଡ଼ କୋଠା ରହିଥିବା କାରଣରୁ କ୍ରମ ବର୍ଦ୍ଧିତ ଜନସଂଖ୍ୟା ଓ ଟ୍ରାଫିକ ସମସ୍ୟା ଦେଖା ଦେଉଛି l ଯାହା ପାଇଁ ଲଡୁଗାଁ ସହରବାସୀ ଓ ଦୈନନ୍ଦିନ ସହରକୁ ଆସୁଥିବା ଜନ ସାଧାରଣ ଅନେକ ସମୟରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକରେ ଫସି ରହୁଥିବାର ଦେଖା ଦେଇଛି l ଲଡୁଗାଁରେ ରହିଥିବା ଶିଳ୍ପାନୁଷ୍ଠାନ, କଳ କାରଖାନାକୁ ଆସୁଥିବା ଭାରିଜାନ ଗାଡି ଲଡୁଗାଁ ସହର ଦେଇ ଯାତାୟାତ ସମୟରେ ଲୋକେ ଟ୍ରାଫିକ ସମସ୍ୟାରେ ଅତିଷ୍ଠ ହୋଇ ଅନେକ ସମୟରେ ଗ୍ରାମର ସଚେତନ ନାଗରିକ ଜିଲ୍ଲା ଓ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହୋଇ ରାସ୍ତାର ପ୍ରଶସ୍ତିକରଣ କରଣ ସହ ରାସ୍ତା କଡରେ ଥିବା ସରକାରୀ ଜମି ଜବରଦଖଲ ଉଚ୍ଛେଦ କରିବା ପାଇଁ ଅଭିଯୋଗ କରି ଆସୁଥିଲେ । ଅନ୍ୟ ପକ୍ଷରେ ପୂର୍ତ୍ତ ବିଭାଗ ପକ୍ଷରୁ ମୋଟେରରୁ ଲଡୁଗାଁରେ ନିର୍ମାଣଧୀନ ରାସ୍ତାର ନିର୍ମାଣ କାର୍ଯ୍ୟ ପାଇଁ ଜମି ଅଧିଗ୍ରହଣରେ ବାଧାପ୍ରାପ୍ତ ହେବା କାରଣରୁ ପୂର୍ତ୍ତ ବିଭାଗ ପକ୍ଷରୁ ମଧ୍ୟ ଅନୁରୂପ ଭାବେ ଜିଲ୍ଲା ପ୍ରଶାସନ ନିକଟରେ ସରକାରୀ ଜାଗା ଚିଂହ୍ନଟ ଓ ଅଧିଗ୍ରହଣ ପାଇଁ ଲିଖିତ ଭାବେ ଅଭିଯୋଗ ହୋଇଥିବା ଜଣାପଡିଛି । ବାରମ୍ବାର ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲଡୁଗାଁ ସହରରେ ସରକାରୀ ଜମି ଅଧିଗ୍ରହଣ ପାଇଁ ଶୁକ୍ରବାର ଧର୍ମଗଡ ଉପ-ଜିଲ୍ଲାପାଳ ଧୀମାନ ଚକମା, କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ନବ କିଶୋର ବେହେରାଙ୍କ ଉପସ୍ଥିତିରେ ରାଜସ୍ୱ ବିଭାଗ ନିରୀକ୍ଷକ ଓ କର୍ମଚାରୀମାନେ ଲଡୁଗାଁ ସହରର ବିଭିନ୍ନ ସ୍ଥାନରେ ସରକାରୀ ଜମି ଚିଂହ୍ନଟ ପାଇଁ ଡିମାରକେସନ କରିଛନ୍ତି । ଏହି ସମୟର ଲଡୁଗାଁର ଅନେକ ସଚେତନ ନାଗରିକ ଉପସ୍ଥିତ ରହି ସରକାରୀ କାର୍ଯ୍ୟରେ ସହଯୋଗ କରିବା ସହ ରାସ୍ତାର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଦାବି କରିଛନ୍ତି ।