ରାକ୍ଷୀ ପୂର୍ଣ୍ଣିମାର ଏକ ନିଆରା କାହାଣୀ….

ମାଲକାନଗିରି(ବିକାଶ କୁମାର ଦଣ୍ଡସେନା): ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ରୋଗେଇ ପୁସ୍ ପାଲି ଗ୍ରାମରେ ରୁହନ୍ତି ବୃନ୍ଦା କବାସି l ଯିଏକି କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ବହୁତ ବର୍ଷ ହେଲାଣି ଶଯ୍ୟାସାଇ ଅବସ୍ଥାରେ ଦିନ ବିତାଉଛନ୍ତି । ବୃନ୍ଦା ଏକ କୟା ଆଦିବାସୀ ଝିଅ ଏବଂ ପରିବାର ବହୁତ ଆର୍ଥିକ ସମସ୍ୟା ଦେଇ ଗତି କରୁଛି l ଯାହା ବୃନ୍ଦାଙ୍କ ସ୍ୱାସ୍ଥ୍ୟ ସେବା ପାଇବାରେ ବାଧା ମଧ୍ୟ ସୃଷ୍ଟି କରୁଅଛି । ତାଙ୍କର ଏହି କଷ୍ଟମୟ କାହାଣୀକୁ ମାଲକାନଗିରି ଜିଲ୍ଲାର ଏକ ସାମାଜସେବି ଶ୍ରୀ ରାମ କୃଷ୍ଣ ଚୌଧୁରୀ ସୋସିଆଲ ମିଡିଆ ଯୋଗେ ଲୋକଲୋଚନକୁ ଆଣିଥିଲେ l ବୃନ୍ଦାର ଏହି ଦାରୁଣ ଯନ୍ତ୍ରଣା ଶୁଣି ମାଲକାନଗିରି ଜିଲ୍ଲାର ଆଉ ଏକ ପ୍ରତିଷ୍ଠିତ ବ୍ୟବସାୟି ତଥା ସାମାଜସେବି ଶ୍ରୀ ବିନୋଦ ଟାଉରି ଗତବର୍ଷ ଦୀପାବଳି ଦିନ ରୋଗେଇ ପୁସ୍ ପାଲି ଗାଁରେ ପହଞ୍ଚି ଥିଲେ ଏବଂ ଶ୍ରୀ ଟାଉରି ନିଜ ପରିବାର ସହ ଦୀପାବଳିର ପର୍ବ ନିଜ ଭଉଣୀ ଭାବେ ଆପଣାଇ ଥିବା ବୃନ୍ଦା ସହ ପାଳିଥିଲେ ଏବଂ ଆର୍ଥିକ ସହାୟତା ମଧ୍ୟ କରିଥିଲେ । ତେବେ ଆଜିର ଏହି ପବିତ୍ର ରକ୍ଷା ବନ୍ଧନରେ ଭାଇ କିପରି ଭଉଣୀକୁ ଭୁଲିଯିବ  । ବୃନ୍ଦାର ସମାଜସେବୀ ଭାଇ ଆଜି ଭଉଣୀ ପାଇଁ ଏକ ନୂଆ ସ୍ମାର୍ଟଫୋନ ଓ ଡ୍ରେସ୍ ଉପହାର ନେଇ ରାକ୍ଷୀ ବନ୍ଧେଇବା ପାଇଁ ବୃନ୍ଦାର ଗାଁରେ ପହଞ୍ଚି ଥିଲେ ଏବଂ ଦୁହେଁ ବହୁତ ଖୁସିର ସହ ରାକ୍ଷୀ ପୂର୍ଣ୍ଣିମା ପାଳନ କରିଥିଲେ  । ଏହି ଭାଇ ଭଉଣୀ ସମ୍ପର୍କ ଏକ ରକ୍ତ ସମ୍ପର୍କ ନହେଲେ ମଧ୍ୟ ଏକ ଆବେଗଭରା ଏବଂ ହୃଦୟସ୍ପର୍ଶୀ ସମ୍ପର୍କ ଯାହା ଗାଁ ଲୋକ ଓ ଜିଲ୍ଲାବାସିଙ୍କ ପାଇଁ ଏକ ଅନୁପ୍ରେରଣାର ଓ  ପ୍ରଶଂଶନୀୟ କାହାଣୀ ଅଟେ ବୋଲି ଅଂଚଳରେ ଚର୍ଚ୍ଚା ହେଉଛି  ।