ଦାରିଙ୍ଗବାଡ଼ି(ଆଶୋକ ସିଂ): ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି ଠାରେ ପ୍ରଥମ ଥର ଲାଗି ଚେରୀ ବ୍ଲସମ ଚାରାକୁ ଆନୁଷ୍ଠାନିକ ଭାବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ରୋପଣ କରିଛନ୍ତି । ଏନେଇ ଗତ ଜୁଲାଇ ମାସ ୫ ତାରିଖରେ ଭୁବନେଶ୍ଵର ଠାରେ ଆୟୋଜିତ ମହୋତ୍ସବ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ପ୍ରଥମ ଥର ଲାଗି ଦାରିଙ୍ଗବାଡି ଠାରେ ଚେରୀ କ୍ଲସମ ଚାରା ରୋପଣ କରାଯିବ ବୋଲି ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ରକଳ୍ପକୁ ବିଭାଗୀୟ ମନ୍ତ୍ରୀ କାର୍ଯ୍ୟକାରୀ କରିଛନ୍ତି । ବର୍ଷ ତମାମ ଦାରିଙ୍ଗବାଡିକୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ବୁଲି ଆସିଥାନ୍ତି । ଏହି ପର୍ଯ୍ୟଟନ ସ୍ଥଳୀର ପ୍ରକୃତିକୁ ଅଧିକରୁ ଅଧିକ ଆକର୍ଷଣ କରିବା ତଥା ମନଲୋଭା ଭାବେ ଗଢି ତୋଳିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପରେ ବନ ବିଭାଗ ତରଫରୁ ମେଘାଳୟ ରାଜ୍ୟର ସିଲଂରୁ ଏକ ହଜାର ଚେରୀ କ୍ଲସମ ଦାରିଙ୍ଗବାଡ଼ିକୁ ବନ ବିଭାଗ ପକ୍ଷରୁ ଅଣାଯାଇଥିବା ବେଳେ ବିଭାଗୀୟ ମନ୍ତ୍ରୀ ଅନୁଷ୍ଠାନିକ ଭାବେ ବନ ବିଭାଗ ପ୍ରକୃତି କୁଟୀର ପରିସରରେ ଚାରା ରୋପଣ କରାଯାଇଛି । ଏଭଳି ଭାବେ ଦାରିଙ୍ଗବାଡିର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଯଥା ହିଲଭିୟୁ ପାର୍କ, ଇକୋ ରିଟ୍ରିଟ, ପ୍ରକୃତି ଉଦ୍ୟାନ ଆଦି ସ୍ଥାନରେ ଚେରୀ ବ୍ଲସମ ଲଗା ଯିବାକୁ ସ୍ଥିର ହୋଇଛି । ବିଭାଗୀୟ ମନ୍ତ୍ରୀ ଚାରା ରୋପଣ କରିବା ପରେ ବନ ବିଭାଗର ପ୍ରକୃତି କୁଟୀର ବୁଲି ଦେଖୁବା ସହ ଦାରିଙ୍ଗବାଡ଼ିର ମନଲୋଭା ପ୍ରକୃତିକୁ ଅତି ପାଖରୁ ଦେଖ୍ ଖୁସି ହୋଇଯାଇଥଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆରସିସିଏଫ ସଞ୍ଜୟ ସ୍ୱାଇଁ, ବାଲିଗୁଡ଼ା ଡିଏଫଓ ବିଶ୍ୱରାଜ ପଣ୍ଡା, ଫୁଲବାଣୀ ଡିଏଫଓ ପ୍ରଶାନ୍ତ ପଟେଲ, ଏସିଏଫ ତଥା ଦାରିଙ୍ଗବାଡି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ, ବ୍ରାହ୍ମଣୀଗାଁ ରେଞ୍ଜର ହରିହର ବେହେରା, ଅତିରିକ୍ତ ବନପାଳ ଦୀପକ ରଞ୍ଜନ ପଟ୍ଟନାୟକ, ବନପାଳ ସନ୍ତୋଷ କୁମାର ସେନାପତି, ସିମନବାଡ଼ି ବନପାଳ ରବି ମୋହନ ନାୟକ, ବାଲିଗୁଡା କେନ୍ଦୁପତ୍ର ରେଞ୍ଜର ମାଧବ ଚନ୍ଦ୍ର ବେହେରା, ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର, କନ୍ଧମାଳ ବିଜେପି ସଭାପତି ଜଗନ୍ନାଥ ସାହୁ, ଆଇନଜୀବୀ ଅନିଲ ଦାସ, ପରିବେଶ ସହକାରୀ ଯନ୍ତ୍ରୀ ନବଜ୍ୟୋତି ବେଙ୍ଗରାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଏବଂ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ । ମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଦାରିଙ୍ଗବାଡି ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୁରକ୍ଷାକୁ କଡାକଡି କରିଥିଲେ ।