ଗୁଣପୁର(ସୁନିଲ୍ କୁମାର ସାବତ): ବିଶ୍ଵ ଆଦିବାସୀ ଦିବସ ଅବସରରେ ଗୁଣପୁର ଠାରେ ଅଖିଳ ଭାରତ ଆଦିବାସୀ ମଞ୍ଚ ଓ ଅଖିଳ ଭାରତ କିଶାନ୍ ମଜଦୂର ସଭା ପକ୍ଷରୁ ମିଳିତ ଭାବେ ସମାବେଶର ଆୟୋଜନ କରାଯାଇଥିଲା । ସଙ୍ଗଠନର ଜିଲ୍ଲା କମିଟି ସଭ୍ୟ ତଥା ବରିଷ୍ଠ ଆଦିବାସୀ ନେତା ଅର୍ଜୁନ ଗମାଙ୍ଗଙ୍କ ନେତୃତ୍ୱରେ ଆଜି ପୂର୍ବାହ୍ନରେ ସହର ଉପକଣ୍ଠରେ ଥିବା ସୁବୁଦ୍ଧିବେଢା ଠାରୁ ଆଦିବାସୀମାନଙ୍କ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ସେଠାରେ ଅନୁଷ୍ଟିତ ଏହି ସମାବେଶରେ ଅଖିଳ ଭାରତ ଆଦିବାସୀ ସଭାର ଆବାହକ କେଦାର ଶବର ମୁଖ୍ୟବକ୍ତା ଭାବେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଦିବାସୀ ବିରୋଧି ନୀତି ଯୋଗୁଁ ଆଦିବାସୀମାନେ ନିଜର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହେଉଛନ୍ତି ବୋଲି କହିଥିଲେ । ସରକାର ଜମି, ଜଙ୍ଗଲ ଓ ପ୍ରାକୃତିକ ସମ୍ପଦ ଉପରେ ଆଦିବାସୀଙ୍କୁ ଅଧିକାର ଦେବା ବଦଳରେ ବଡ ବଡ କମ୍ପାନୀଙ୍କ ସ୍ଵାର୍ଥରେ ସେ ସବୁକୁ ଛଡେଇବାରେ ଲାଗିଛନ୍ତି ବୋଲି କହିଥିଲେ । ବିକାଶ ନାଁରେ ଆଦିବାସୀଙ୍କ ଜମି, ଜଙ୍ଗଲ, ପରିବେଶ ଓ ଜୀବିକାକୁ ଛଡେଇବାକୁ ସରକାର ଓ କମ୍ପାନିମାନଙ୍କ ଉଦ୍ୟମର ପ୍ରତିରୋଧ କରାଯିବ ବୋଲି ଚେତାବନୀ ଦେଇଥିଲେ । ଓଡ଼ିଶାର ପ୍ରାୟ ଏକ ଚତୁର୍ଥାଂଶ ଜନସଂଖ୍ୟା ଆଦିବାସୀ ହୋଇଥିଲେ ବି ସରକାର ସେମାନଙ୍କ ଭାଷା, ଲିପି ଓ ସଂସ୍କୃତିର ବିକାଶ ଦିଗରେ କୌଣସି ଉଦ୍ୟମ ନକରିବା ଫଳରେ ଅନେକ ଆଦିବାସୀ ସମ୍ପ୍ରଦାୟ ଓ ସେମାନଙ୍କ ଭାଷା ନିଶ୍ଚିହ୍ନ ହେବାକୁ ବସିଛି ବୋଲି କହିଥିଲେ । ଅତଏବ ଆଦିବାସୀମାନେ ନିଜର ଜମି, ଜଙ୍ଗଲ ଓ ଜୀବିକାର ସୁରକ୍ଷା ସହ ଭାଷା ଓ ସଂସ୍କୃତିର ସୁରକ୍ଷା କରିବା ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଆଦିବାସୀ ନେତା ବୁଦ୍ଧଦେବ ଶବର, ତୁଳସୀ ଶବର, ରମେଶ ଗମାଙ୍ଗ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଉଭୟ ସଂଗଠନ ପକ୍ଷରୁ ରାଜ୍ୟର ଆଦିବାସୀଙ୍କ ସ୍ଵାର୍ଥ ନେଇ ଏକ ପାଞ୍ଚ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଗୁଣପୁର ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ସେହି ପରି ଆଦିବାସୀ ସଂଘର୍ଷ ମୋର୍ଚ୍ଚା(ଏଏସ୍ଏମ୍)ର ସଭାପତି ତ୍ରିପତି ଗମାଙ୍ଗଙ୍କ ନେତୃତ୍ୱରେ ଆଜି ବିଶ୍ଵ ଆଦିବାସୀ ଦିବସ ପାଳନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ନୂଆ ବସ୍ ଷ୍ଟାଣ୍ଡ ରୁ ଏକ ଶୋଭଯାତ୍ରା ବାହାରିଥିଲା । ଆଦିବାସୀମାନେ ପାରମ୍ପରିକ ଭାବେ ନାଚଗୀତ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏଥିରେ ଆଦିବାସୀଙ୍କ ୧୮ଦଫା ଦାବି ଉଲ୍ଲେଖ ରହିଛି । ସମାବେଶରେ କୈଳାଶ ଶବର, ରାଜେନ୍ଦ୍ର ମାଝୀ, ରବିନି ମାଲା, ଗୋପୀ ନିମାଲା, ଗାଗାନା ଶବର, ନକ୍ଷତ୍ର ଶବର, ରମେଶ ଶବର, ଅଗୟ ଶବର, ସମ୍ଭରା ଶବର, ମୁଁ ନାଥ ଶବର, ତୁଳସ ଶବର, ଝିରମୟ ମାଝୀ, ଭିମ ମାଝୀ ପ୍ରମୁଖଙ୍କ ସମେତ ଶତାଧିକ ଆଦିବାସୀ ସାମିଲ୍ ହୋଇଥିଲେ ।