ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଲକ ବଡ଼କୋଦଣ୍ଡା ଗ୍ରାମ ବାସିନ୍ଦା ଡକ୍ଟର ସ୍ୱରୂପ ରଞ୍ଜନ ମିଶ୍ର ଦେଶ ବିଦେଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ଭଞ୍ଜନଗର ଡିହଫଢାଳ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସ୍ୱେଚ୍ଛାସେବୀ ସଙ୍ଗଠନ ବିପଦର ବନ୍ଧୁ ପକ୍ଷରୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ସଭାପତି ଡ଼.ପ୍ରଦୀପ କୁମାର ପଟ୍ଟନାୟକ, ସମ୍ପାଦକ ପଦ୍ମନାଭ ପ୍ରଧାନ,ଡିହପଢାଳ ସରପଞ୍ଚ ରୋଜି ବରାଡ଼, ବଡ଼କୋଦଣ୍ଡା ସରପଞ୍ଚ ପ୍ରତିନିଧି ହୃଷିକେଶ ପ୍ରଧାନ, ସମାଜସେବୀ ଶୂଳପାଣି ଶତପଥୀ, କେ.ଶଙ୍କର ନାରାୟଣ ପାତ୍ର,ପ୍ରଧାନ ଗୁରୁଜୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ବଡ଼କୋଦଣ୍ଡା ଗ୍ରାମର ବିଜୟ କୁମାର ମିଶ୍ର ଓ ମାତା ସୁଧାରାଣୀ ମିଶ୍ରଙ୍କ ପୁତ୍ର ହେଉଛନ୍ତି ସ୍ୱରୂପ । ଗତ ୨୦୦୭ମସିହା ମାଟ୍ରିକ ପରୀକ୍ଷାରେ ଏହି ବିଦ୍ୟାଳୟରୁ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ବର୍ତ୍ତମାନ କାର୍ଲିଫର୍ଣ୍ଣିଆରେ ଗୁଗୁଲ ଡିପ୍ ମାଇଣ୍ଡରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଅଛନ୍ତି । ସ୍ୱରୂପ ଓ ତାଙ୍କର ଟିମ୍ ଗତ ଇଣ୍ଟର ନ୍ୟାସନାଲ ମ୍ୟାଥ ଅଲମ୍ପିଆଡ଼ରେ ସିଲଭର ମେଡାଲ ପାଇବାରେ ସକ୍ଷମ ହୋଇଛନ୍ତି । ତେଣୁ ତାଙ୍କର ଏହି ସଫଳତା ଘୁମୁସର ମାଟି ସର୍ବୋପରି ଏହି ଶିକ୍ଷାନୁଷ୍ଠାନ ପାଇଁ ଗର୍ବ ଓ ଗୌରବ ବୋଲି ଉପସ୍ଥିତ ଅତିଥିମାନେ କହିଛନ୍ତି । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରଜ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ଓ ବିପଦର ବନ୍ଧୁ ସଙ୍ଗଠନର ସଦସ୍ୟମାନେ ସହଯୋଗ କରିଥିଲେ । ସୁଶାନ୍ତ କୁମାର ବେହେରା ଓ ଅରକ୍ଷିତ ପରିଛା ସଭା ପରିଚାଳନା କରିଥିଲେ ।