ଭଞ୍ଜନଗର ଥାନାରେ ରକ୍ତଦାନ ଶିବିର, ୧୪୦ ୟୁନିଟ ସଂଗୃହୀତ….

ଭଞ୍ଜନଗର(ନିଲୁ ବିଷୋୟୀ): ରକ୍ତଦାନ ମହାପୁଣ୍ୟ ଓ ରକ୍ତଦାନ ଜୀବନ ଦାନ। ଆଜିର ଦିନରେ ରକ୍ତ ହୀନତା ଜନିତ ରୋଗୀ, ମାତୃତ୍ଵ ଲାଭ କରୁଥିବା ମହିଳା, ଜୀବନର ଅପରାହ୍ନରେ ଉପନୀତ ବ୍ୟକ୍ତି ଓ ଅପ୍ରତ୍ୟାଶିତ ଦୁର୍ଘଟଣା ର ଶିକାର ହେଉଥିବା ବ୍ୟକ୍ତିମାନଙ୍କ ପାଇଁ ରକ୍ତର ଆବଶ୍ୟକତା ଥିବା ବେଳେ ସଠିକ୍ ସମୟରେ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ରହୁଛି । ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପୁରଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ପକ୍ଷରୁ ବୁଧବାର ଥାନା ପରିସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଥାନାଧିକାରୀ କୁମର ମୁଦୁଲିଙ୍କ ତତ୍ବାବଧାନରେ ଆୟୋଜିତ ଉକ୍ତ ଶିବିରରେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୁଜିତ କୁମାର ନାୟକ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଶିବିରରୁ ମୋଟ ୧୪୦ ୟୁନିଟ ରକ୍ତ ସଂଗୃହିତ ହୋଇଛି । ଭଞ୍ଜନଗର ସହର ସମେତ ଗ୍ରାମାଞ୍ଚଳର ବହୁ ଉତ୍ସାହି ଯୁବକ, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଥାନା କର୍ମଚାରୀଙ୍କ ସମେତ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ଶିବିରରେ ଯୋଗଦେଇ ସ୍ବେଚ୍ଛାକୃତ ଭାବେ ରକ୍ତ ଦାନ କରିଛନ୍ତି । ଶିବିରକୁ ଆମ ପୁଲିସ ସମିତିର କର୍ମକର୍ତ୍ତା ଓ ଥାନା କର୍ମଚାରୀ ପରିଚାଳନା କରିଥିବା ବେଳେ ଭଞ୍ଜନଗର ରକ୍ତଭଣ୍ଡାରର କର୍ମଚାରୀ ରକ୍ତ ସଂଗୃହୀତ କରିଥିଲେ ।