ବିଦ୍ୟୁତ ବିଲ୍ ଅଧିକା ଆସିବାରୁ ମିଟର ରିଡ଼ରଙ୍କୁ ନିର୍ମମ ହତ୍ୟା, କ୍ଷତିପୂରଣ ଦାବିରେ ବିଦ୍ୟୁତ କାଯ୍ୟାଳୟ ସମ୍ମୁଖରେ ଧାରଣା…..

ଅନୁସନ୍ଧାନ ଭାରତ(ବ୍ୟୁର) : ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଗାଲେରୀ ଫାଣ୍ଡି ଅଧିନ କୁପାଟି ଗ୍ରାମରେ ଆଜି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଗାଲେରୀ ଗ୍ରାମର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ (ବାବି) ଟିପିଏସଓଡ଼ିଏଲରେ ଜଣେ ମିଟର ରିଡର ଭାବେ କାର୍ଯ୍ୟ କରୁଥିବାରୁ ସୋମବାର ସକାଳେ ସେ କୁପାଟି ଗ୍ରାମକୁ ମିଟର ରିଡିଙ୍ଗ ନେବା ପାଇଁ ଯାଇଥିଲେ । ସେଠାରେ ଗୋବିନ୍ଦ ସେଠୀଙ୍କ ଘରେ ବିଦ୍ୟୁତ ବିଲ ଦେବାରୁ ଅଧିକ ଟଙ୍କା ଆସିଥିବା ଦେଖି ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଗୋବିନ୍ଦ ଉତ୍ତ୍ୟକ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ବାବିର ବେକକୁ ଆକ୍ରମଣ କରିଥିଲା । ବାବି ଘଟଣାସ୍ଥଳରେ ପଡ଼ି ଯାଇଥିଲେ । ବେକରୁ ପ୍ରବଳ ରକ୍ତସ୍ରାବ ହେବାରୁ ଗାଁ ଦାଣ୍ଡ ରକ୍ତ ରଞ୍ଜିତ ହୋଇ ବାବିଙ୍କ ସେଠାରେ ହିଁ ମୃତ୍ୟୁ ଘଟିଥିଲା । ଖବର ପାଇ ବାବିର ସାଙ୍ଗସାଥୀ ଓ ସମ୍ପର୍କୀୟମାନେ କୁପାଟିରେ ପହଞ୍ଚି ଥିଲେ । ଗୋବିନ୍ଦ ଭୟଭୀତ ହୋଇ ଘରକବାଟ କୋଣରେ ଲୁଚି ରହିଥିବା ଦେଖି ତାକୁ କାବୁ କରିବା ପାଇଁ ସ୍ଥାନୀୟ ଲୋକମାନେ ଉଦ୍ୟମ କରିଥିଲେ । ଗୋବିନ୍ଦ ପୁଣି ସେହି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ଗାଲେରୀ ଗ୍ରାମର ରିଙ୍କୁ ନାୟକଙ୍କ ବାମ ହାତର ୩ଟି ଆଙ୍ଗୁଠି କଟି ଯାଇଛି । ଧସ୍ତାଧସ୍ତି ପରେ ସମସ୍ତେ ଗୋବିନ୍ଦକୁ ଧରି ପୁଲିସ ଜିମାରେ ଦେଇଥିଲେ। ତାରାସିଙ୍ଗି ପୁଲିସ ରିଙ୍କୁ ଓ ଗୋବିନ୍ଦକୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାରେ ଚିକିତ୍ସିତ ପାଇଁ ଭର୍ତ୍ତି କରିଥିଲା । ଅଧିକ ଚିକିତ୍ସା ପାଇଁ ରିଙ୍କୁ ଓ ଗୋବିନ୍ଦକୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳରେ ଚାପା ଉତେଜନା ଲାଗି ରହିଥିବାରୁ ଏସଡିପିଓ ବିଶ୍ଵାମିତ୍ର ହରପାଳ, ତାରାସିଙ୍ଗି ଭାରପ୍ରାପ୍ତ ଥାନାଧିକାରୀ ଭାଗୀରଥି ନାୟକ, ବେଲଗୁଣ୍ଠା ଥାନାଧିକାରୀ ପ୍ରକାଶ ସାହୁ ପହଞ୍ଚି ତଦନ୍ତ କରିବା ସହ ପରିସ୍ଥିତି କୁ ନିୟନ୍ତ୍ରଣ କରିଥିଲେ । ଏହି ଘଟଣାରେ ପୁଲିସ ୨୬୭/୨୩ରେ ଏକ ମାମଲା ରୁଜୁ କରି ଗୋବିନ୍ଦ ଉପରେ ନଜର ରଖି ପୁଲିସ ତଦନ୍ତ ଚଳାଇଥିବା ଜଣାପଡିଛି। ଅପରପକ୍ଷରେ ଏତେ ବଡ଼ ଘଟଣା ପରେ ଟିପିଏସ୍‌ଓଡିଲ୍‌ର କୌଣସି ଅଧିକାରୀ ଘଟଣାସ୍ଥଳକୁ ଯାଇନଥିବା ବେଳେ ମୃତକର ପରିବାରକୁ କ୍ଷତି ପୂରଣ ପ୍ରଦାନ କରିବା ଦାବିରେ ମିଟର ରିଡର ସଂଘର ଶତାଧିକ ମିଟର ରିଡର ଅପରାହ୍ନରେ ଟିପିଏସ୍‌ଓଡିଲ୍ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଏଭଳି ମିଟର ରିଡିଂ ନେବା ସମୟରେ ଅନେକ ସମୟରେ ମିଟର ରିଡରମାନେ ଲୋକଙ୍କ ଆକ୍ରୋଶର ଶିକାର ହେଉଥିବା ବେଳେ ସେମାନଙ୍କ ସୁରକ୍ଷା ଦିଗରେ କମ୍ପାନି ସେ ଭଳି କୌଣସି ପଦକ୍ଷେପ ନେଉ ନଥିବାରୁ ଏଭଳି ସମସ୍ୟା ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି । ଅନେକ ସମୟରେ ବାରମ୍ବାର ବିଦ୍ୟୁତ କାଟ ସାଙ୍ଗକୁ ବିଲ୍‌ର ଭୁଲ ଭଟକା ହେଲେ ଗ୍ରାହକମାନେ ମିଟର ରିଡରଙ୍କ ଉପରେ ଅକ୍ରୋଶ ହୋଇପଡୁଛନ୍ତି । ବିଗତ ଦିନରେ ବୌଦ୍ଧର ମନମୁଣ୍ଡା ଇଲାକାରେ ମିଟର ରିଡରଙ୍କ ଉପରେ ଆକ୍ରମଣ ହୋଇଥିଲେ ମଧ୍ୟ କୌଣସି କ୍ଷତି ପୂରଣ ମିଳିନଥିବା ଅଭିଯୋଗ ଆଣିଛନ୍ତି । ମୃତ ଲକ୍ଷ୍ମୀ ଘରର ଏକ ମାତ୍ର ରୋଜଗାରିଆ ସନ୍ତାନ ରହିଥିବା ବେଳେ କିଛି ବର୍ଷ ତଳେ ତାଙ୍କ ବାପା ରଘୁନାଥ ତ୍ରିପାଠୀଙ୍କ ଦେହାନ୍ତ ଘଟିଥିଲା । ତାଙ୍କର ଗୋଟିଏ ପୁଅ ରହିଥିବା ବେଳେ ତାଙ୍କର ଏଭଳି ଅକାଳ ବିୟୋଗ ଘଟିଥବାରୁ ପରିବାରକୁ କ୍ଷତିପୂରଣ ସହ ପରିବାରର ଜଣେ ସଦସ୍ୟଙ୍କୁ ଚକିରୀ ଦେବାକୁ ଦାବି କରିଛନ୍ତି । ଟିପିଏସ୍‌ଓଡିଲ୍‌ ଅଧୀକ୍ଷଣ ଯନ୍ତ୍ରୀ ଅଭିଜିତ ପାଢୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଜଗତଜୀତ ଦାସମହାପାତ୍ର, ଏସ୍‌ଡିଓ ମନୋଜ ସାହୁ ଏବଂ ଇନ୍‌ଭେନ୍‌ଟିଭ୍‌ ସଫ୍ଟୱେର୍‌ ସଲ୍ୟୁସନ୍‌ର ଅପରେସନ୍‌ ହେଡ୍‌ ରବିନାରୟଣ ମହାପାତ୍ରା ପ୍ରମୁଖ ଅନ୍ଦୋଳନକାରୀ ରିଡରଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ନିର୍ଯ୍ୟାସ ବାହାରି ପାରିନାର୍ହି ।