ଅନୁସନ୍ଧାନ ଭାରତ(ବ୍ୟୁର): ଗତ ପ୍ରାୟ ତିନିମାସରୁ ଉର୍ଦ୍ଧ୍ବ ସମୟ ଧରି ମଣିପୁର ଜାତିଆଣ ଦଙ୍ଗାରେ ଜଳୁଛି । ଏହି ପରିପ୍ରେକ୍ଷୀରେ ଜଣେ କାର୍ଗିଲ ଯୁଦ୍ଧର ସୈନିକଙ୍କ ପତ୍ନୀଙ୍କୁ ରାସ୍ତାରେ ଉଲଗ୍ନ କରି ଚଲେଇବା, ଗଣ ଦୃଷ୍କର୍ମ କରିବା ଓ ହତ୍ୟା କରିବା ଘଟଣାକୁ ନେଇ ସାରା ଦେଶକୁ ସ୍ତବ୍ଧ କରିଛି । ଏପରିକି ଘଟଣାକୁ ବିଶ୍ୱ ସମୁଦାୟ ମଧ୍ୟ ନିନ୍ଦା କରିଛନ୍ତି । କିନ୍ତୁ ଦେଶର ପ୍ରଧାନମନ୍ତ୍ରୀ ମଣିପୁର ଜଳୁଥିବା ବେଳେ ବିଦେଶ ଭ୍ରମଣରେ ଲାଗିଛନ୍ତି ।ଦିଲ୍ଲୀର ନିର୍ଭୟା ଘଟଣାରେ କ୍ୟାଣ୍ଡେଲ ଜାଳୁଥିବା ନରେନ୍ଦ୍ର ମୋଦିଙ୍କ ବିଜେପି ଦଳ ଓ ନବୀନ ବାବୁଙ୍କ ବିଜେଡି ଦଳ ସମ୍ପୂର୍ଣ୍ଣ ନିରବ ରହିଛନ୍ତି । CBI ଓ ED ଭୟରେ ବିଜେପିର ବଲୋକରା ସାଜିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାକୁ ନିନ୍ଦା ମଧ୍ୟ କରିନାହାନ୍ତି ବୋଲି ଗଞ୍ଜାମ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ମତପ୍ରକାଶ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ସ୍ଥାନୀୟ ପୁରୁଣା ବସ୍ ଷ୍ଟାଣ୍ଡ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ନାରୀର ସଂମାନ ରକ୍ଷା କରିବାରେ ବିଫଳ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ମଣିପୁରରେ ଶାନ୍ତି ପ୍ରତିଷ୍ଠା ଓ ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଥିଲା । ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ବନଜା ପଣ୍ଡା । କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ମୂଖପାତ୍ର ପୀତବାସ ପଣ୍ଡା, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଚିନ୍ମୟ କୁମାର ହୋତା, ଯୁବ କଂଗ୍ରେସ ସଭାପତି ବିକାଶ ନାୟକ, ଉପସଭାନେତ୍ରୀ ସୁପ୍ରଭା ଦାସ, ଜିଲ୍ଲା ମହିଳା କଂଗ୍ରେସ ଉପସଭାନେତ୍ରୀ ରଂଜିତା ପ୍ରଧାନ, ସ୍ୱପ୍ନାରାଣୀ ପାଣିଗ୍ରାହୀ, ସାଧାରଣ ସମ୍ପାଦକ ଗୀତାଞ୍ଜଳି ସାହୁ, ସମ୍ପାଦକ ସୁନିତା ସାହୁ, ସବିତା ନାୟକ, ରିନା ନାୟକ, ପଦ୍ମା ମହାରଣା, ସିଦ୍ଧାନ୍ତ କୁମାର ସାହୁ ପ୍ରମୁଖ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।