ପଞ୍ଚାୟତ ପ୍ରତିନିଧି ଏବଂ ଅଧିକାରୀଙ୍କ ଦ୍ୱାରା ରବିବାର ହିଞ୍ଜିଳିକାଟୁ ବ୍ଲକ୍ ଗସ୍ତ….

ଅନୁସନ୍ଧାନ ଭାରତ(ବ୍ୟୁର): କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରଣାଳୟର ମିଳିତ ଆନୁକୂଲ୍ୟରେ କିଟ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଠାରେ ଆୟୋଜିତ ହେଉଥିବା କର୍ମଶାଳାର ଅନ୍ତିମ ଦିନରେ ଦେଶର ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ପଞ୍ଚାୟତ ପ୍ରତିନିଧି ଏବଂ ଅଧିକାରୀମାନେ ରବିବାର ହିଞ୍ଜିଳିକାଟୁ ବ୍ଲକ୍ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ ଓ ଜନକଲ୍ୟାଣକାରୀ ପ୍ରକଳ୍ପ ବୁଲି ଦେଖିବା ସହ ନିଜ ନିଜ ଅଞ୍ଚଳରେ ଏହାର ପ୍ରୟୋଗ ପାଇଁ ଅନୁଭୂତି ସଂଗ୍ରହ କରିଛନ୍ତି । କଳାହାଣ୍ଡି ଜିଲ୍ଲାର ୪୫ ଜଣିଆ ପ୍ରତିନିଧି ଦଳ ଆଜି ହିଞ୍ଜିଳିକାଟୁ ଆସି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ। ସ୍ଥାନୀୟ ଦାରୁଭଦ୍ରା ଗ୍ରାମରେ ସ୍ଥାନୀୟ ପଞ୍ଚାୟତ ସମିତିର ଅଧିକାରୀ ଓ ପଞ୍ଚାୟତ ପ୍ରତିନିଧିମାନେ ସ୍ବାଗତ କରିଥିଲେ । ନିର୍ବାଚିତ ଜନ ପ୍ରତିନିଧି, ଅଧିକାରୀମାନଙ୍କ ଉଦ୍ୟମ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ଦ୍ଵାରା ନିରନ୍ତର ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ ଉଦ୍ଦେଶ୍ୟକୁ କେମିତି ପ୍ରତିଫଳିତ କରାଯାଇପାରିବ ତାହା ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଆସିଥିବା ପ୍ରତିନିଧି ଦଳକୁ ବୁଝାଇ କହିଥିଲେ । ପ୍ରତ୍ୟେକ ଗ୍ରାମ ପଞ୍ଚାୟତର ବିକାଶ ଏବଂ ସମୃଦ୍ଧି ପାଇଁ ପ୍ରଶାସନ ଏବଂ ନିର୍ବାଚିତ ଜନପ୍ରତିନିଧିଙ୍କ ସମନ୍ଵୟ ବାବଦରେ ମଧ୍ୟ ସେ ଆଲୋକପାତ କରିଥିଲେ । ପ୍ରତିନିଧି ଦଳ ଦାରୁଭଦ୍ରା ପଞ୍ଚାୟତ ମିଶନ ଶକ୍ତି ଗୃହ ଠାରେ ଆୟୋଜିତ ମୋ ଗେହ୍ଲା ଝିଅ, ଅଦ୍ଵିକା ଓ ନିର୍ଭୟା କଢ଼ି କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେଇଥିଲେ । ଏହାପରେ ସେମାନେ ପଞ୍ଚାୟତ ପାଠାଗାର, ମିନି ଷ୍ଟାଡିୟମ, ଆଦର୍ଶ ପୋଖରୀ ଓ ଶିଶୁ ଉଦ୍ୟାନ ବୁଲି ଦେଖିବା ପରେ ଶାସନ ଆମ୍ବଗାଁର ବିଭବ କେନ୍ଦ୍ର (ଏମସିସି/ଏମଆରଏଫ), ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ର, ପ୍ରମୋଦ ଉଦ୍ୟାନ ସାରୁ ପଞ୍ଚାୟତର ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ, ମିଶନ ଶକ୍ତି ଗୃହ ଓ ପାଠାଗାର ବୁଲି ଦେଖିଥିଲେ । ରାଜ୍ୟ ସରକାରଙ୍କ କୃଷି ବିପଣନ ବୋର୍ଡର ଉପଦେଷ୍ଟା ସୁରେନ୍ଦ୍ରନାଥ ପ୍ରଧାନ, ଓଡ଼ିଶା ଗ୍ରାମୀଣ ଗୃହ ନିର୍ମାଣ ସଂସ୍ଥାର ଅଧ୍ୟକ୍ଷ ଡି. ବିଶ୍ଵନାଥ, ଜିଲ୍ଲା ଯୋଜନା ବୋର୍ଡର ସଦସ୍ୟ ଏନ. ରଘୁନାଥ, ଜିଲ୍ଲା ପରିଷଦ ସଦସ୍ୟ ଏଲା ସୁଦର୍ଶନ, ବାଇ ଗୀତାଞ୍ଜଳି, ପ୍ରୀତି ସାହୁ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁନୀଲ ଗନ୍ତାୟତ, ଦାରୁଭଦ୍ରା ସରପଞ୍ଚ ବିକାଶ ସେଠୀ, କୁକୁଡାଖଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଲ୍ଲବୀ ସ୍ୱାଇଁ ଏବଂ ହିଞ୍ଜିଳିକାଟୁ ପଞ୍ଚାୟତ ସମିତି କାର୍ଯ୍ୟାଳୟର ବହୁ ଅଧିକାରୀ ଏହି ଗସ୍ତ କାର୍ଯ୍ୟକ୍ରମ ସମୟରେ ଉପସ୍ଥିତ ଥିଲେ।