ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ ଓ ଜିଲ୍ଲା ଦୌରା ବିଚାରପତି ଅଚାନକ ଘୁ.ଉଦୟଗିରି ବ୍ଲକ ଗସ୍ତରେ ଆସି ସ୍ଥାନୀୟ ଏସଡିପିଓ ଡି.ତିରୁପତି ରାଓ ପଟ୍ଟନାୟକ ସହ ଉପକାରାଗାର ପରିଦର୍ଶନ କରି ଅନ୍ତେବାସୀ ମାନଙ୍କୁ ଭେଟିବା ସହ ଦିଆଯାଉଥିବା ଖାଦ୍ୟରମାନ ପରଖିବା ଓ ଶୌଚାଳୟ ଗୁଡ଼ିକର ସ୍ବଚ୍ଛତା ଦେଖିଥିଲେ ।
ଉପକାରାଗାର ପରିଦର୍ଶନ ପରେ ଜିଲ୍ଲା ଦୌରା ବିଚାରପତି ଫେରିଯାଇଥିଲେ । କିନ୍ତୁ ଜିଲ୍ଲାପାଳ ସ୍ଥାନୀୟ ଅଂଚଳର ବିଭିନ୍ନ ଅନୁଷ୍ଠାନ ଯଥା ସୁଭଦ୍ରା ମହତାବ, ଅନ୍ୱେଷା ହଷ୍ଟେଲ ପରିଦର୍ଶନ କରି ଛାତ୍ରଛାତ୍ରୀମାନଙ୍କ ସହ ବିଭିନ୍ନ ବିଷୟ ନେଇଁ ଆଲୋଚନା କରିବା ସହ ଇଂରାଜୀ ଓ ଗଣିତ ପ୍ରଶ୍ନ ପଚାରିଥିଲେ ଏବଂ ଛାତ୍ରଛାତ୍ରୀଙ୍କ ବ୍ୟବହୃତ ଶୌଚାଳୟର ସ୍ବଚ୍ଛତା ଓ ହଷ୍ଟେଲରେ ପ୍ରସ୍ତୁତ ହେଉଥିବା ଖାଦ୍ୟର ମାନ ପରଖିଥିଲେ ।
ପରେ ସ୍ଥାନୀୟ ବ୍ଲକ୍ ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତ ୫ ଟି ହଷ୍ଟେଲ ବୁଲିଦେଖିବା ସହ ସରପଞ୍ଚ ଓ ପ୍ରଧାନ ଶିକ୍ଷକଙ୍କ ସହ ୫ ଟି କାମର ମାନ ପରଖିଥିଲେ। ଶେଷରେ ସ୍ଥାନୀୟ ହାଟପଦା ଠାରେ ଥିବା ଗୁଡ ସମରିଟାନ ଲାଇଭଲି ପ୍ରୋସେଶିଂ ୟୁନିଟକୁ ଯାଇ ସେଠାକାର ଯନ୍ତ୍ରାଂଶ ଓ ପ୍ରସ୍ତୁତି ବ୍ୟବସ୍ଥା ଦେଖିଥିଲେ । ଜିଲ୍ଲାପାଳଙ୍କ ଏହି ଅଚାନକ ଗସ୍ତ ସମୟରେ ସ୍ଥାନୀୟ ବିଡ଼ିଓ ଆଶିଷ କୁମାର ତ୍ରିପାଠୀ, ସହକାରୀ ଯନ୍ତ୍ରୀ ମଳୟ ବେହେରା , ସହକାରୀ ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ସେଠୀ, କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ସାହୁ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।