ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ସହରର ବସଷ୍ଟାଣ୍ଡ ଠାରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଯିବା ରାସ୍ତାରେ ଏଲଆଇସି ଅଫିସ ଛକ ଠାରେ ଗୁରୁବାର ଅପରାହ୍ନ ସମୟରେ ଏକ ବିରାଟ କାକପୋଇ ଗଛ ପଡ଼ି ଗୋଟିଏ ବାଇକ ଭାଙ୍ଗି ଚୁରମାର ହେବା ସହ ମୁଖ୍ୟରାସ୍ତା ଅବରୋଧ ହୋଇଥିଲା । ସୂଚନା ମୁତାବକ ଉକ୍ତ ଗଛଟି ଦୀର୍ଘ ଦିନ ହେଲା ସେଠାରେ ଶୁଷ୍କ ହୋଇ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିଲେ ମଧ୍ୟ ଏଥିପ୍ରତି କାହାର ଦୃଷ୍ଟି ପଡ଼ି ନଥିଲା । ଆଜି ସେହି ଛକରେ ମୋବାଇଲ ଦୋକାନ କରିଥିବା ଭଞ୍ଜନଗର ବ୍ଲକ ଗୁରାବାଡ଼ି ଗ୍ରାମର ରାଜେଶ କୁମାର ଗୌଡ଼ ନିଜ ବାଇକକୁ ରାସ୍ତା କଡରେ ରଖି ନିଜ ଦୋକାନକୁ ଯାଇଥିଲେ । ଏହି ସମୟରେ ହାଠାତ୍ ଗଛଟି ମୂଳରୁ ଉପୁଡ଼ି ପଡିବା ଯୋଗୁଁ ବିଦ୍ୟୁତ ତାର ଛିଣ୍ଡିବା ସହ ରାଜେଶର ବାଇକ ଗଛତଳେ ଚାପି ହୋଇ ରାସ୍ତା ଅବରୋଧ ହୋଇଥିଲା । ସୌଭାଗ୍ୟ ବଶତଃ ସେହି ସମୟରେ ଉକ୍ତ ଜନ ଗହଳିପୂର୍ଣ ରାସ୍ତାରେ କେହି ଯାତାୟାତ କରୁ ନ ଥିଲେ । ତେଣୁ ଏକ ବଡ଼ ବିପଦ ଟଳି ଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେଆସି ଗଛଟିକୁ କାଟି ରାସ୍ତା ସଫା କରିଥିଲେ ଏବଂ ବିଦ୍ୟୁତ ବିଭାଗ କର୍ମଚାରୀମାନେ ବିଦ୍ୟୁତ ତାର ସଜାଡିଥିଲେ ।