ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ଜାତିର ପିତା ମହାତ୍ମାଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳିତ……….
ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ ଜିଲ୍ଲା ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଠାରେ ଆଜି ଜାତିର ପିତା ମହାତ୍ମାଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଗୁଣପୁରର ଗାନ୍ଧୀବାଦୀ ବ୍ୟକ୍ତି ତଥା ସର୍ବୋଦୟ କର୍ମୀ ଶ୍ରୀ ବାଞ୍ଛାନିଧି ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଗାଳ୍ପିକ, ପ୍ରବନ୍ଧକ, ଲେଖକ ଓ ଏକା ଧାରାରେ ଜଣେ ସମାଜସେବକ ଶ୍ରୀ ପ୍ରତାପ ରାୟ ଏବଂ ସମ୍ମାନିତ ଅତିଥି ଭାବେ ସଂଗୀତ ନିର୍ଦ୍ଧେଶକ ଶ୍ରୀ ସୁରେନ୍ଦ୍ର ମିଶ୍ର ଉପସ୍ଥିତ ରହି ମଞ୍ଚାସିନ ରହିଥିଲେ । କାର୍ଯ୍ୟକ୍ରମକୁ ସଂଘ ର ସଭାପତି ଶ୍ରୀ ମାଧବ ବିଡିକା ସଭାପତିତ୍ୱ କରିଥିବା ବେଳେ ଆବାହକ ଶ୍ରୀ ଶକ୍ତି ଦାଶ ସଭାକାର୍ଯ୍ୟ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ଥାନୀୟ ସମାଜସେବୀ ଶ୍ରୀ ଉମା ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ଗାନ୍ଧିବାଦୀ ନୀତି ସମ୍ପର୍କରେ ଆଲୋକପାତ କରିଥିଲେ । ଅତିଥିମାନଙ୍କ ଦ୍ୱାରା ଦ୍ବୀପ ପ୍ରଜ୍ବଳନ କରାଯାଇ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ନିମନ୍ତ୍ରିତ ଅତିଥିମାନେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଦେଶ ପ୍ରତି ଉତ୍ସଗ୍ରୀକୃତ କାର୍ଯ୍ୟ କଳାପକୁ ବ୍ୟାଖ୍ୟା କରି ଅଭିଭାଷଣ ପ୍ରଦାନ କରିଥିଲେ । ସଂଘ ସଦସ୍ୟଙ୍କ ଦ୍ଵାରା ଉଭୟ ପ୍ରବାଦ ପୁରୁଷଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଆମନ୍ତ୍ରିତ ଅତିଥିଙ୍କୁ ଉପଢୋକନ ଦେଇ ସମ୍ମାନିତ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ ମହାନ୍ତି ଉପସ୍ଥିତ ସଦସ୍ୟମାନଙ୍କୁ ଗାନ୍ଧୀଙ୍କ ନୀତି ଅନୁସରଣ କରି ସମାଜ ପ୍ରତି ସେମାନଙ୍କ କାର୍ଯ୍ୟ ସମ୍ପାଦନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହିଭଳି ଗୁଡ଼ାରୀ ଶାଖା ସଂଗଠନର ସଦସ୍ୟମାନଙ୍କ ଦ୍ୱାରା ଗୁଡାରୀ କଲେଜ ଛକ ଠାରେ ଅବସ୍ଥାପିତ ଗାନ୍ଧୀ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଟି ଜଗନ୍ନାଥ ରାଓ ଅତିଥି ଭାବେ ଯୋଗଦେଇ କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ କରାଯାଇଥିବା ଏଭଳି କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିବା ସହ ସ୍ଥାନୀୟ ଅନ୍ୟ ସମ୍ବାଦଦାତାମାନେ ଏହାଙ୍କ ପଥ ଅନୁସରଣ କରିବା ପାଇଁ ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସାମ୍ବାଦିକ ଶ୍ରୀ ତ୍ରିପତି ବିଡିକା, ଶ୍ରୀ ବୀର କିଶୋର ନନ୍ଦ ଏବଂ ଶ୍ରୀ ଏଲ ଗୌରୀ ପରିଚାଳନା କରିଥିଲେ ।