ଅନୁସନ୍ଧାନ ଭାରତ(ବ୍ୟୁର): ବର୍ଷ ପରେ ବର୍ଷ ବିତୁଛି ସେହି ଅନୁପାତରେ ଭଞ୍ଜନଗର ଏନଏସିରେ ଜନସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସେହି ପରିମାଣରେ ଲୋକଙ୍କ ଆବଶ୍ୟକତା ମଧ୍ୟ ବଢ଼ିଛି । ସମସ୍ୟା ଅଭାବ ଓ ଆବଶ୍ୟକତା ଭିତରେ ଆଗକୁ ବଢୁଥିବା ଏନ୍ଏସିର କିନ୍ତୁ ପରିସୀମା ବୃଦ୍ଧି କରି ପୌରପାଳିକାର ମାନ୍ୟତା ପ୍ରଦାନ କରାଯାଇ ପାରୁନାହିଁ । ଅଞ୍ଚଳବାସୀଙ୍କ ଆଶା ମରୁଭୂମୀର ମରୀଚିକା ପାଲଟି ଗଲାଣି । ବାରମ୍ବାର ଦାବି ହେଉଥିଲେ ମଧ୍ୟ ପୌରପାଳିକା ଘୋଷାଣ ଦିଗରେ ପ୍ରଶାସନ ଇଞ୍ଚେ ମଧ୍ୟ ପାଦ ଆଗକୁ ବଢାଉନଥିବା ଅତ୍ୟନ୍ତ ପରିତାପର ବିଷୟ ପାଲଟିଛି । ଯାହା ପାଇଁ ପରିମଳ ଠାରୁ ଆରମ୍ଭ କରି ଟ୍ରାଫିକ ସମସ୍ୟା ସମେତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ସହର ବୃଦ୍ଧି ସହ ଲୋକଙ୍କ ଆବଶ୍ୟକତା ବଢିଥିବାରୁ ତାକୁ ମେଣ୍ଟାଇବା ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି । ଯାହାକି ପୌରପାଳିକାରେ ପରିଣତ ହେଲେ ଖର୍ଚ୍ଚ ପାଇଁ ଅଧିକା ବଜେଟ ସୃଷ୍ଟି କରାଯାଇ ପାରିବ। ଗଞ୍ଜାମ ଜିଲ୍ଲାରେ ଭଞ୍ଜନଗର ସମେତ ଆସିକା ଓ ଛତ୍ରପୁର ଏନଏସିକୁ ମ୍ୟୁନିସିପାଲିଟି ଭାବେ ଘୋଷଣା ଦାବି ସମ୍ପର୍କୀତ ଆବେଦନର ଶୁଣାଣୀ କରି ହାଇକୋର୍ଟ ସରକାରଙ୍କୁ ନୋଟିସ ମଧ୍ୟ ଜାରି କରିଛନ୍ତି । କିନ୍ତୁ ଭଞ୍ଜନଗର ଏନଏସିକୁ କାହିଁକି ଅଣଦେଖା କରାଯାଉଛି ବୋଲି ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନ ମାରୁଛି । କଳା ସାହିତ୍ୟ ଓ ସଂସ୍କୃତିର ସହରରେ ଭାବେ ସାରା ରାଜ୍ୟରେ ଭଞ୍ଜନଗର ଅନ୍ୟତମ । ବହୁ ପୁରାତନ ଏହି ଏନଏସି ୧୯୫୭ ମସିହାରେ ଗଠିତ ହୋଇଛି l ଭଞ୍ଜନଗର ଏନଏସିରେ ମଧ୍ୟରେ ରସଲକୋଣ୍ଡା ପାହାଡ ଓ ଲୋହରାଖଣ୍ଡି ନଦୀ ପ୍ରଭାବିତ ହୋଇ ଏହି ଏନଏସିର ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରୁଛି । ଏଠି ଅନେକ ପୁରୁଣା ବସ୍ତି ରହିଥିବା ବେଳେ ପୁରୁଣା ଘରକୁ ଭାଙ୍ଗି ଲୋକେ ନୂତନ ଧରଣର ଘର କରି ସହରର କ୍ଷେତ୍ରକୁ ପରିବ୍ୟପ୍ତ କରିବାରେ ଲାଗିଛନ୍ତି । ପଦା ହୋଇ ରହିଥିବା ସ୍ଥାନରେ ବର୍ତ୍ତମାନ ବହୁ ଦୋକାନ ବଜାରରେ ଭର୍ତ୍ତି ହୋଇଗଲାଣି । ପ୍ରତିଦିନ ଆଖପାଖ ଗ୍ରାମାଞ୍ଚଳ ଲୋକେ ଆବଶ୍ୟକିୟ ସାମଗ୍ରୀ କ୍ରୟ କରିବା ପାଇଁ କିମ୍ବା କୌଣସି କାର୍ଯ୍ୟରେ ପାଇଁ ସହରକୁ ଆସିଥାନ୍ତି । ସେହି ହିସାବରେ ସହରର ଉନ୍ନତି ଯଥେଷ୍ଟ ଆବଶ୍ୟକତା ରହିଛି । ଗତ ୨୦୧୧ ଜନଗଣନା ଅନୁଯାୟୀ, ଭଞ୍ଜନଗର ଏନଏସିରେ ମୋଟ ୨୦,୪୮୨ ଜନସଂଖ୍ୟା ଥିଲେ । ସେଥିମଧ୍ୟରେ ପୁରଷ ସଂଖ୍ୟା ୧୦,୩୦୮ ରହିଥିବା ବେଳେ ମହିଳାଙ୍କ ସଂଖ୍ୟା ୧୦୧୭୪ ରହିଥିଲା । ଏଥିରେ ୧୬,୫୩୧ ଜଣ ଶିକ୍ଷିତ ରହିଥିବା ବେଳେ ସେଥିରୁ ୮,୭୦୬ ଜଣ ପୁରଷ ଓ ୭,୮୨୫ ଜଣ ମହିଳା ଅଟନ୍ତି । ଯାହାକି ବର୍ତ୍ତମାନ ସ୍ଥିତିରେ ଏହି ସଂଖ୍ୟା ବହୁଗୁଣା ବୃଦ୍ଧି ପାଇଛି । ଏଥିସହ ସହରରେ ୪,୮୮୪ ଟି ଘର ରହିଥିବା ବେଳେ ଗତ କରୋନା ସମୟରେ ଘରଘର ବୁଲି ସ୍କ୍ରିନିଂ ସମୟରେ ସେହି ସଂଖ୍ୟା ଛଅ ହଜାର ପାଖାପାଖି ବୃଦ୍ଧି ପାଇଥିବା ଜଣାପଡିଛି । ପିଲାଙ୍କ ପାଠ ପଢ଼ିବା ଠାରୁ ଆରମ୍ଭ କରି ଚାକିରି କରିବା କିମ୍ବା ବେପାର କରିବା ଦିଗରେ ବହୁ ଲୋକ ଗାଁରୁ ସହର ମୁହାଁ ହେଉଥିବା ଦେଖିବାକୁ ମିଳୁଛି । ଫଳରେ ଘର ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ସହର ସଫେଇ ପାଇଁ ଉନ୍ନତ ବ୍ୟବସ୍ଥା ହେଉନଥିବା ବେଳେ ଦିଆଯାଇଥିବା ଡଷ୍ଟବିନକୁ ସଠିକ ବ୍ୟବହାର ହୋଇ ପାରୁନାହିଁ । ଯାହା ଫଳରେ ଲୋକମାନେ ରାସ୍ତାଘାଟ ଅଳିଆ ପକା ଥିବାର ଦେଖା ଦେଇଛି । ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏନଏସି ବଡ ପଦକ୍ଷେପ ନେବା ପାଇଁ ବହୁ ଅର୍ଥର ଆବାଶ୍ୟକତା ରହିଥିବା ବେଳେ ମାନବ ସମ୍ବଳର ମଧ୍ୟ ଆବଶ୍ୟକତା ରହିଛି । ଏନେଇ ସ୍ଥାନୀୟ ଲୋକେ ଭଞ୍ଜନଗର ଏନଏସିକୁ ପୌରପାଳିକାର ମାନ୍ୟତା ପ୍ରଦାନ୍ ପାଇଁ ବାରମ୍ବାର ଦାବି କରି ନିରାଶ ହେଉ ଥିବା ମତପ୍ରକାଶ କରିଛନ୍ତି ।