ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ: ଘରେଘରେ ଝରଣା ପାଣି, ଶୋଇବାକୁ ଜାଗା ନାହିଁ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକରେ ଗତ ଆଠ ଦିନ ଧରି ଲାଗିରହିଥିବା ଲଘୁଚାପ ଜନିତ ଲଗାଣ ବର୍ଷାରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇ ପଡ଼ିଛି l ଚାଷ ଜମି ସହିତ ଜନ ଜୀବନ ଓ ଗୃହପାଳିତ ପ୍ରାଣୀ ସବୁ ଲଘୁଚାପ ଜନିତ ବର୍ଷାରେ ବହୁ ପ୍ରଭାବିତ ହୋଇଛି l ଉପାନ୍ତ ଇଲାକାରେ ବସବାସ କରୁଥିବା ଲୋକଙ୍କ ଘରଦ୍ୱାର ସବୁ ଝାଟିମାଟିର ହୋଇଥିବାରୁ ବହୁ ଲୋକଙ୍କ ଘରର କାନ୍ଥ ଭୁଶୁଡ଼ି ପଡିବା ସହିତ ଘର ଭିତରକୁ ବର୍ଷାପାଣି ପସିଯାଇଛି l କେତେକ ସ୍ଥାନରେ ଘରେ ଘରେ ଝରଣା ସୃଷ୍ଟି ହୋଇଛି ଫଳରେ ମାଟିକାନ୍ଥ ଗୁଡ଼ିକ ଭୁଶୁଡ଼ି ଯିବାସହ ଘରଭିତର ଝରଣା ବାହାର ଥିବାରୁ ରାତ୍ରୀ ଶୋଇବାକୁ ମଧ୍ୟ ଜାଗା ଟିକିଏ ନାହିଁ l ସୁଚନା ଅନୁସାରେ ହାତିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ତାମାଙ୍ଗି ଗ୍ରାମର କୀର୍ତ୍ତି ବଳିଆର ସିଂଙ୍କ ଘରକାନ୍ଥ ଭୁଶୁଡ଼ି ଯାଇଥିବା ବେଳେ ଗଦାପୁର ପଞ୍ଚାୟତ ଅନ୍ତର୍ଗତ ବୁଜୁଲି ଗ୍ରାମର ଶିକାଲୁ ପଦ୍ରା, ପଣ୍ଡିତ ଉଠାଣ ସିଂ, କଂଗ୍ରେଶ ଉଠାଣ ସିଂ, ବିପିନ ଧାଙ୍ଗଡାମାଝି ଘରଭିତରେ ଝର ସୃଷ୍ଟି ହୋଇଛି l ଏସମ୍ପର୍କରେ ଗ୍ରାମବାସୀ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କୁ ଯୋଗାଯୋଗ କରିଥିଲେ ବି ଲୋକଙ୍କ ଦୁଃଖ ବୁଝିବାକୁ କେହି ପହଁଚି ନଥିବା କହିଛନ୍ତି l ସେହିପରି ବ୍ରାହ୍ମଣୀଗାଁ, ହାତିମୁଣ୍ଡା, ଝିଞ୍ଜିରିଗୁଡା, କୁମ୍ଭାରୀଗାଁ ପଞ୍ଚାୟତ ଅଧିନସ୍ତ ବହୁ ଲୋକଙ୍କ ଘର କାନ୍ଥ ଭୁଶୁଡି ପଡିଥିବା ସରପଞ୍ଚମାନଙ୍କ ପକ୍ଷରୁ ସୂଚନା ମିଳିଛି l ବ୍ରାହ୍ମଣୀଗାଁ ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ମଳିକଙ୍କ ତତ୍ୱାବଧାନରେ ରାଜସ୍ୱ ନିରୀକ୍ଷକ ରଞ୍ଜିତ କଁହର ନୂଆଗାଁର ତରେ ମଳିକ, କୀନାରୀଗାଁର ଟଙ୍କଧର ବିନ୍ଧାଣି, ବୃନ୍ଦାବନ ବିନ୍ଧାଣି, ତ୍ରିଲୋଚନ ପାଇକ, ବ୍ରାହ୍ମଣୀଗାଁର ବଣ୍ଟି ସେଠି ଓ ପିଙ୍କି ବିଷୋୟୀଙ୍କୁ ପଲିଥିନ ଯୋଗାଇ ଦିଆଯାଇଥିବା ରାଜସ୍ୱ ନିରୀକ୍ଷକ ଶ୍ରୀ କଁହର ସୂଚନା ଦେଇଛନ୍ତି l ଲଗାଣ ବର୍ଷାରେ କ୍ଷତି ସହିଥିବା ବହୁ ଲୋକମାନେ ସର୍ଵ ନିମ୍ନ ସହାୟତା ପାଇବାରୁ ବଞ୍ଚିତ ଥିବା ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି l ଏଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଗୁରୁତ୍ୱ ଦେଇ ଘର କାନ୍ଥ ଭୁଶୁଡି ପଡିଥିବା ପରିବାର ବର୍ଗ ସମୂହର ଉପଯୁକ୍ତ ତଦନ୍ତ କରି ପକ୍କା ଘର ଯୋଗାଇ ଦେବାକୁ ଦାବୀ ହୋଇଛି l