ଅନୁସନ୍ଧାନ ଭାରତ(ବ୍ୟୁର):ସମଗ୍ର ରାଜ୍ୟରେ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଛି I ଯାହା ପାଇଁ ରାଜ୍ୟରେ ପ୍ରଚଣ୍ଡ ଖରା ସାଙ୍ଗକୁ ମୁଣ୍ଡ ଫଟା ଖରା ଅନୁଭୂତ ହେଉଛି I ହେଲେ ଏଥିରୁ ବାଦ ପଡ଼ି ନାହିଁ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସହର I ଚଳିତ ବର୍ଷ ଫେବୃୟାରୀ ମାସ ଶେଷରୁ ଆରମ୍ଭ ହୋଇଛି ମୁଣ୍ଡ ଫଟା ଖରା ସାଙ୍ଗକୁ ଅସହ୍ୟ ଗରମ I ଘୁ.ଉଦୟଗିରି ସହରର ତାପ ମାତ୍ରା ପ୍ରାୟତ ଥଣ୍ଡା ରହି ଥାଏ I ହେଲେ ଚଳିତ ବର୍ଷ ଆରମ୍ଭ ହୋଇ ଥିବା ମୁଣ୍ଡ ଫଟା ଖରା ସାଙ୍ଗକୁ ଅସହ୍ୟ ତାତି ଅଞ୍ଚଳ ବାସୀଙ୍କୁ ଅସ୍ତ ବ୍ୟସ୍ତ କରିଛି I
ସକାଳ ୧୦ ହେବା ମାତ୍ରେ ଘରୁ ବାହାରକୁ ବାହାରିବା ବାହାରିବା ମୁସ୍କିଲ ହୋଇ ପଡିଛି I ପ୍ରଚଣ୍ଡ ଖରା ଯୋଗୁଁ ଦିନତମାମ ଘୁ.ଉଦୟଗିରି ସହର ଜନଶୂନ୍ୟ ହେଉ ଥିବା ଦେଖା ଦେଇଛି I ଘୁ.ଉଦୟଗିରି ବ୍ଲକ ଅଞ୍ଚଳର ଜନସାଧାରଣ ଅସହ୍ୟ ତାତି ପାଇଁ ସହରକୁ ଆସିବାକୁ ଇଛା ପ୍ରକାଶ କରୁନ ଥିବା କହିଛନ୍ତି I ଯାହା ପାଇଁ ସ୍ଥାନୀୟ ବାସିନ୍ଦା ବ୍ୟବସାୟିକ କ୍ଷତି ସହୁ ଥିବା ପ୍ରକାଶ କରିଛନ୍ତି I ଏହି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ମୁକାବିଲା କରିବା ପାଇଁ ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରସ୍ତୁତି କରାଯାଇ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି I ସମଗ୍ର ବ୍ଲକ ସମେତ ରାଇକିଆ, ପାବୁରିଆ, ସାରଙ୍ଗଗଡ, ଟିକାବାଲି ଇତ୍ୟାଦି ଅଞ୍ଚଳର ଜନସାଧାରଣ ଘୁ.ଉଦୟଗିରି ସହର ଉପରେ ନିର୍ଭର କରିଥାନ୍ତି I ତେଣୁ ଘୁ.ଉଦୟଗିରି ସହରକୁ ଉକ୍ତ ଅଂଚଳର ଜନସାଧାରଣଙ୍କ ଭାତ ହାଣ୍ଡି କହିଲେ ଅତ୍ୟୁକ୍ତି ହେବ ନାହିଁ I ପ୍ରଚଣ୍ଡ ଖରା ଯୋଗୁଁ ସହର ମଧ୍ୟରେ ଜନସାଧାରଣ ପାନୀୟ ଜଳ ନ ପାଇ ବହୁତ ହନ୍ତସନ୍ତ ହେବା ସହ ମୂର୍ଚ୍ଛା ମଧ୍ୟ ହେଉ ଥିବା ଦେଖା ଦେଇଛି I ତେଣୁ ଵିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନେହେରୁ ମାର୍କେଟ, ଗାନ୍ଧୀ ଛକ, ବନ୍ଧ ଛକ, ପାୱାର ହାଉସ ଛକ, ଶ୍ରୀରାମପଦା ଛକ ଇତ୍ୟାଦି ମୁଖ୍ୟ ସ୍ଥାନ ଗୁଡ଼ିକରେ ଜଳଛତ୍ରର ବ୍ୟବସ୍ଥା କରି ଜନସାଧାରଣଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି I