ଅନୁସନ୍ଧାନ ଭାରତ(ବ୍ୟୁର): ସପ୍ତମ ବେତନ କମିଶନ ବାବଦ ଆଉ ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ନେଇଛନ୍ତି I ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଆଜି ଏ ସଂକ୍ରାନ୍ତରେ ସରକାରୀ ଘୋଷଣା ନାମା ପ୍ରକାଶ ପାଇଛି I ଏହା ଦ୍ବାରା କର୍ମଚାରୀମାନେ ସପ୍ତମ ବେତନ କମିଶନ ଦରମା ବାବଦ ସଂପୂର୍ଣ୍ଣ ବକେୟା ରାଶି ପାଇପାରିବେ I ପୂର୍ବରୁ ଏହି ବକେୟାର ୮୦ ପ୍ରତିଶତ ପ୍ରଦାନ କରାଯାଇଛି I ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟ ସରକାରଙ୍କ ୪ ଲକ୍ଷ କର୍ମଚାରୀ ଉପକୃତ ହେବେ I ଏଥି ପାଇଁ ୨୦୨୧-୨୨ ଅତିରିକ୍ତ ବଜେଟ୍ରେ ୮୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି I କର୍ମଚାରୀମାନେ ଏହି ବକେୟା ଅର୍ଥ ଚଳିତ ମାର୍ଚ୍ଚ ମାସ ଦରମାରେ ପାଇପାରିବେ I ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ସପ୍ତମ ବେତନ କମିଶନ ର ସୁପାରିଶକୁ ଗ୍ରହଣ କରି ଏହାକୁ ୨୦୧୬ ଜାନୁଆରୀ ମାସ ଠାରୁ ଲାଗୁ କରିଥିଲେ ଏବଂ ୨୦୧୭ ସେପ୍ଟେମ୍ବର ମାସଠାରୁ ବର୍ଦ୍ଧିତ ଦରମା ପ୍ରଦାନ କରିଥିଲେ I କର୍ମଚାରୀମାନେ ସପ୍ତମ ବେତନ କମିସନ ସୁପାରିଶ ଅନୁଯାୟୀ ଜାନୁଆରୀ ୨୦୧୬ରୁ ଅଗଷ୍ଟ ୨୦୧୭ ମଧ୍ୟରେ ୨୦ ମାସର ବର୍ଦ୍ଧିତ ବକେୟା ଦରମା ବିଭିନ୍ନ କିସ୍ତିରେ ଦେବାକୁ ନିଷ୍ପତ୍ତି ହୋଇଥିଲା I ଏହି ନିଷ୍ପତ୍ତି ଅନୁଯାୟୀ ୨୦୧୭-୧୮ରେ ୪୦ ପ୍ରତିଶତ, ୨୦୧୯-୨୦ରେ ୧୦ ପ୍ରତିଶତ ଓ ୨୦୨୧-୨୨ରେ ୩୦ ପ୍ରତିଶତ ବକେୟା ପ୍ରଦାନ କରାଯାଇଥିଲା I ସୂଚନାଯୋଗ୍ୟ ଯେ ପେନ୍ସନଭୋଗୀମାନେ ମଧ୍ୟ ସେମାନଙ୍କ ଦରମାର ଶତକଡା ୧୦୦ ପ୍ରତିଶତ ପାଇସାରିଛନ୍ତି I